ଆଜିଠୁ ଭାରତ-ଶ୍ରୀଲଙ୍କା ପିଙ୍କ୍ ବଲ୍ ଟେଷ୍ଟ, ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବ୍ରିଗେଡ

1 min read

ବେଙ୍ଗାଲୁରୁ: ଆଜିଠୁ ଭାରତ- ଶ୍ରୀଲଙ୍କା ପିଙ୍କ୍ ବଲ୍ ଟେଷ୍ଟ୍ । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଦିବାରାତ୍ରୀ ଟେଷ୍ଟ । ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ତିନି ଦିନ ମଧ୍ୟରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଆଜି ବେଙ୍ଗାଲୁରୁରେ ଖେଳାଯିବାକୁଥିବା ପିଙ୍କ୍ ବଲ ଟେଷ୍ଟରେ ବିଜୟ ଲାଭ କରି ଏହି ସିରିଜକୁ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଭାରତ ଶେଷ ଥର ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପିଙ୍କ ବଲ୍ ଟେଷ୍ଟ ଖେଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଥିଲା । ୨୦୧୯ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା । ସେଥିରେ ମଧ୍ୟ ଭାରତ ବିଜୟ ଲାଭ କରିଥିଲା  । ଏବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଧ୍ୟ ଭାରତ ବିଜୟ ହାସଲ କରିବ ବୋଲି ଆଶା ରଖିଛି ।

ଅନ୍ୟପକ୍ଷରେ ଶ୍ରୀଲଙ୍କା କଥା ଯଦି କହିବା ତାହାଲେ ପ୍ରଥମ ମ୍ୟାଚରେ ପରାଜୟ ପରେ ଏବେ ବ୍ୟାକଫୁଟରେ ରହିଛି ଦଳ । ତେବେ ଏହି ମ୍ୟାଚରେ ବିଜୟ ଲାଭ କରି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ଶ୍ରୀଲଙ୍କା । ବେଙ୍ଗାଲୁରୁ ଖେଳାଯିବାକୁ ଥିବା ଦିବରାତ୍ର ଟେଷ୍ଟରେ ଟିମ୍ ଇଣ୍ଡିଆ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଶତକ ହାସଲ କରିବେ ବୋଲି ଆଶା କରାଯାଉଛି । ବେଙ୍ଗାଲୁରୁରେ ଖେଳାଯାଉଥିବା ଟେଷ୍ଟରେ ଭାରତ ପକ୍ଷରୁ ଗୋଟିଏ ପରିବର୍ତ୍ତନ ହୋଇପାରେ । ଜୟନ୍ତ ଯାଦବଙ୍କ ସ୍ଥାନରେ ମହମ୍ମଦ ସିରାଜ କିମ୍ବା ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି ।