ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ଚତୁର୍ଥ ଦିନରେ ବର୍ଷା ସାଜିଲା ଭିଲେନ୍

1 min read

ଜୋହାନ୍ସବର୍ଗ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାନୁଆରୀ ୩ରୁ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି । ଏହି ମ୍ୟାଚର ଉଭୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନ କରି ଅଲଆଉଟ ହୋଇଥିଲା । ଯାହା ଫଳରେ ଏହି ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ଟାର୍ଗେଟ ରହିଥିଲା । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୧୮ କରିସାରିଥିଲା । ଏହି ମ୍ୟାଚକୁ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ଚତୁର୍ଥ ଦିନରେ ଆବଶ୍ୟକ ଥିଲା ୧୨୨ ରନ । କିନ୍ତୁ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ବର୍ଷା ବାଧକ ସାଜିଛି । ବର୍ଷା ଓ ଓଦା ପଡ଼ିଆ କାରଣରୁ ଏପର୍ଯ୍ୟନ୍ତ ଗୋଟିଏ ବି ଓଭର ବୋଲିଂ ହୋଇପାରିନାହିଁ । ଜୋହାନ୍ସବର୍ଗରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷ ହେବ ବୋଲି ପୂର୍ବରୁ ଅନୁମାନ କରିଥିଲା ପାଣିପାଗ ବିଭାଗ ।

ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ଆଉ ୮ ଓ୍ୱିକେଟ ଆବଶ୍ୟକ । ୨୪୦ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦୁଇ ଓ୍ୱିକେଟ ବିନିମୟରେ ୧୧୮ ରନ କରିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଡିନ୍ ଏଲଗାର ୪୬ ରନ ଓ ରେସୀ ଭାନ୍ ଡର୍ ଡୁସେନ ୧୧ ରନ କରି ଅପରାଜିତ ଅଛନ୍ତି । ଯଦି ଭାରତ କଥା କହିବା ତାହାଲେ ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ତେବେ ଭାରତ ଏହି ମ୍ୟାଚକୁ ଜିତି ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ସିରିଜ୍ ଜିତିବାକୁ ଚେଷ୍ଟା କରିବ ।

Leave a Reply