ବର୍ଷା ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବାତିଲ, ୨-୨ରେ ସିରିଜ୍ ବରାବର

1 min read

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଉଥିବା ଅନ୍ତିମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଛି । ଲଗାତାର ଦୁଇଟି ମ୍ୟାଚ୍ ଜିତି ସିରିଜ୍ ବିଜୟ ଆଶା ରଖିଥିବା ଭାରତୀୟ ଟିମ୍ ବର୍ଷା ପାଇଁ ନିରାଶ ହୋଇଛି । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୨-୨ରେ ବରାବର ହୋଇଛି । ବେଙ୍ଗାଲୁରୁରେ ଆଜି ସନ୍ଧ୍ୟାରେ ନିର୍ଣ୍ଣାୟକ ମ୍ୟାଚ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସମସ୍ତେ ଆଶା କରିଥିଲେ ଲଗାତାର ଦୁଇଟି ମ୍ୟାଚ୍ ଜିତି ବିଜୟ ଲକ୍ଷକୁ ଫେରିଥିବା ଭାରତୀୟ ଟିମ୍ ଶେଷ ମ୍ୟାଚ୍ ଜିତି ସିରିଜ ହାତେଇବ । ହେଲେ ଆକସ୍ମିକ ବର୍ଷା ସବୁ ଆଶାରେ ପାଣି ପକାଇଦେଇଛି ।

ଆଜିର ମ୍ୟାଚରେ ଦକ୍ଷିଣଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଖେଳ ଆରମ୍ଭର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । କେବଳ ୩.୩ ଓଭର ଖେଳ ଚାଲିପାରି ଥିଲା ଏବଂ ଭାରତୀୟ ଦଳ ୨ ଓ୍ବିକେଟ ବିନିମୟରେ ୨୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ବର୍ଷା କାରଣରୁ ମ୍ୟାଚ୍ ବାତିଲ କରିବାକୁ ପଡିଥିଲା ଏବଂ ପଏଣ୍ଟ ଉଭୟଙ୍କ ମଧ୍ୟରେ ବରାବର ବଣ୍ଟା ହୋଇଥିଲା । ଯଦି ଗୋଟିଏ ଇନିଂସ ପରେ ବର୍ଷା ହୋଇଥାନ୍ତା ତେବେ ମ୍ୟାଚ୍ ବାତିଲ ପରିବେର୍ତ୍ତେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥାନ୍ତା ।
ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାବୁମା ଖେଳୁନଥିଲେ । ତାଙ୍କ ସ୍ଥାନରେ କେଶବ ମହାରାଜ ଟିମ୍ ନେତୃତ୍ୱ ନେଉଥିଲେ ।

ବର୍ଷା ପ୍ରଭାବ ପାଇଁ ମ୍ୟାଚ୍ ୭ଟା ପରିବର୍ତ୍ତେ ୭ଟା ୫୦ ମିନିଟରେ ଆରମ୍ଭ ହୋଇଥିଲା । ଏହି କାରଣରୁ ୨୦ ଓଭରରୁ ଗୋଟେ ଓଭର ଲେଖାଏଁ କଟାଯାଇ ୧୯-୧୯ ଓଭର କରାଯାଇଥିଲା । ଆଜିର ମ୍ୟାଚରେ କ୍ରିଜ୍ ଧିମା ଥିବା କାରଣରୁ ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିପାରିନଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଇଶାନ କିଷାନ (୧୫ ରନ୍, ୭ ବଲ୍) ଓ ଋତୁରାଜ ଗାଏକ୍ୱାଡ (୧୦ରନ୍, ୧୨ବଲ୍) ଆଉଟ୍ ହୋଇ ପାଭେଲିଅନ ଫେରିଯାଇଥିଲେ । ଖେଳ ବନ୍ଦ ହେବା ବେଳକୁ କ୍ରିଜରେ ଶ୍ରେୟସ ଆୟର (୦ରନ, ୧ବଲ୍) ଓ ଅଧିନାୟକ ଋଷଭ ପନ୍ତ ଗୋଟିଏ ବଲ୍ ଖେଳି ଏକ ରନ୍ କରି ଦଣ୍ଡାୟମାନ ଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗଡି ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି ।