ଦିନିକିଆ ବିଶ୍ବକପ: ଭାରତୀୟ ପ୍ରଶଂସକଙ୍କ ପାଇଁ ଖରାପ ଖବର, ପାଣ୍ଡ୍ୟାଙ୍କ ପରେ ସୂର୍ଯ୍ୟକୁମାର, ଇଶାନ କିଶନ ଆହତ

ଧର୍ମଶାଳା: ଦିନିକିଆ ବିଶ୍ବକପରେ ଭାରତକୁ ଆଉ ଏକ ଝଟକା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଧୂଆଁଧାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶନ ଆହତ । ଆଜି ଖେଳା ଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଟିମ୍ ୧୧ରେ ଉଭୟ ହୋଇ ନପାରନ୍ତି ସାମିଲ । ଯଦି ସୂର୍ଯ୍ୟକୁମାର ଏବଂ ଇଶାନ ପ୍ଲେଇଂ ଇଲେଭେନରୁ ବାଦ ପଡ଼ନ୍ତି ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ ।

ମିଳିଥିବା ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ଏହି ହାଇ ଭୋଲଟେଜ୍ ମ୍ୟାଚ ପୂର୍ବରୁ ଉଭୟ ଆହତ ହେବା ଭାରତ ପାଇଁ କିଛି ଭଲ ଖବର ନୁହେଁ । ଶନିବାର ନେଟ୍ ପ୍ରାକ୍ଟିସ୍ କରିବା ବେଳେ ସୂର୍ଯ୍ୟକୁମାର ଆହତ ହୋଇଛନ୍ତି । ତାଙ୍କ ଡାହାଣ ହାତରେ ବଲ୍ ବାଜିଛି । ଏହାପରେ ସେ ହାତରେ ବରଫ ଲଗାଉଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ଆଉ ନେଟ୍ ପ୍ରାକ୍ଟିସ୍ କରି ନଥିଲେ ।

ସେହିପରି ନେଟ୍ ପ୍ରାକ୍ଟିସ ବେଳେ ଇଶାନ କିଶନଙ୍କୁ ମହୁପୋକ କାମୁଡ଼ିଛି । ନେଟକୁ ଆସି କିଶନ ବହୁ ସମୟ ପ୍ରାକ୍ଟିସ କରିଥିଲେ । ତେବେ ତାଙ୍କ ବେକକୁ ଏକ ମହୁପୋକ କାମୁଡ଼ି ଦେବାରୁ ଆଉ ନେଟ୍ ପ୍ରାକ୍ଟିସ କରିବାକୁ ଆସି ନଥିଲେ ।

ସୂର୍ଯ୍ୟକୁମାର ଓ କିଶାନ ଆହତ ହେବା ପରେ ଆଜି ଖେଳା ଯିବାକୁ ଥିବା ମ୍ୟାଚରେ ତାଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାହାରେ ଅଛନ୍ତି । ଏମିତି ସ୍ଥିତି ଟିମ୍ ଇଣ୍ଡିଆର ଏହି ଦୁଇ ଧୂଆଁଧାର ବ୍ୟାଟ୍ସମ୍ୟାନ ଆହତ ହେବା ଚିନ୍ତା ବଢ଼ାଇଛି ।