ଅଣ୍ଡର-୧୯ ବିଶ୍ବକପ ଫାଇନାଲ: ଇଂଲଣ୍ଡ ଆଗରେ ୪୧୨ ରନର ବିଜୟ ଲକ୍ଷ୍ୟ
ନନ୍ଦିଘୋଷ ବ୍ୟୁରୋ: ଅଣ୍ଡର-୧୯ ବିଶ୍ବକପ ଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଚାଲିଛି । ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟବଂଶୀ ବୈଭବଙ୍କ ୧୭୫ ରନର ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୪୧୧ ରନର ବିଶାଳ ସ୍କୋର କରିଛି । ୪୧୨ ଣନର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ବ୍ୟାଟିଂ ଜାରି ରଖିଛି । ଭାରତ ଲଗାତର ୬ଷ୍ଠ ଓ ୧୦ମ ଅଣ୍ଡର-୧୯ ବିଶ୍ବକପ ଫାଇନାଲ ଖେଳୁଛି ।
ଭାରତ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ସୂର୍ଯ୍ୟବଂଶୀ ଏବଂ ଆରୋନ ଜର୍ଜ ଓପନିଂ କରିଥିଲେ । ଦଳୀୟ ସ୍କୋର ୨୦ ଥିବା ବେଳେ ଆରୋନ ୯ ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ଅଧିନାୟକ ଆୟୁଷ ଏବଂ ସୂର୍ଯ୍ୟବଂଶୀ ଦେଖିଚାହିଁ ଖେଳିବା ସହ ୮ ଓଭରରେ ୫୦ ରନ କରିଥିଲେ । ୧୪ ଓଭରରେ ଭାରତ ୧୦୦ ରନ କରିଥିଲେ । ୧୯ତମ ଓଭରରେ ଆୟୁେ ୫୦ ରନ୍ କରି ଆଉଟ ହୋଇଥିଲେ । ଆୟୁଷ ଆଉଟ ହେବା ପରେ ପରେ ବୈଭବ ୫୦ ବଲରୁ ୮ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ନିଜର ଶତକ ପୂରା କରିଥିଲେ । ଏହାପରେ ବୈଭବଙ୍କ ଆନ୍ଧି ଦେଖିବାକୁ ମିଳିଥିଲା । ୭୧ ବଲରେ ୧୩ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୧୫୦ ରନ୍ ପୂରଣ କରିଥିଲେ । ନିଜ ଇଂନିସରେ ୮୦ ବଲର ସମ୍ମୁଖୀନ ହୋଇ ବୈଭବ ୧୫ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୧୭୫ ରନ୍ କରି ଆଉଟ୍ ହୋଇଥିଲେ ।ବି. ମଲହୋତ୍ରା ୩୦ ରନ୍ କରି ଚତୁର୍ଥ ଓ୍ବିକେଟ ଭାବେ ଆଉଟ ହୋଇଥିଲେ । ଏହାପରେ ଭାରତର ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡ଼ିଥିଲେ ବି ଭାରତ ୪୧୧ ରନର ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା ।

