ଭାରତ-ଇଂଲଣ୍ଡ ୫ମ ଟେଷ୍ଟ: ରୋହିତ- ଶୁବମନଙ୍କ ଶତକ, ଦ୍ବିତୀୟ ଦିନରେ ଭାରତ ୪୭୩/୮

ଧର୍ମଶାଳା: ଧର୍ମଶାଳା ସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ । ପ୍ରଥମ ଦିନ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିବା ବେଳେ ଦ୍ବିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଜଲଓ୍ବା ଦେଖିବାକୁ ମିଳିଛି । ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୮ ଓ୍ବିକେଟ ହରାଇ ୪୭୩ ରନ୍ କରିଛି । ଅଧିନୟକ ରୋହିତ ଶର୍ମା ଏବଂ ଯୁବ ବ୍ୟାଟର ଶୁବମନ ଗିଲ୍ ଶତକୀୟ ପାରି ଖେଳିଛନ୍ତି । ଏହାଦ୍ବାରା ଭାରତ ପ୍ରଥମ ପାଳିରେ ୨୫୫ ରନର ଅଗ୍ରଣୀ ହାସଲ କରିଛି ।

ରୋହିତ ଏବଂ ଶୁବମନ ଦ୍ବିତୀୟ ୱିକେଟ୍ ପାଇଁ ୧୭୧ ରନର ଭାଗିଦାରୀ କରିଛନ୍ତି । ରୋହିତ ୧୩ଟି ଚୌକା ଓ ୩ଟି ଛକା ବଳରେ ୧୦୩ ରନ୍ ଓ ଗିଲ୍ ୧୨ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୦ ରନ୍ କରିଛନ୍ତି । ସେହିପରି ଯୁବ ବ୍ଯାଟ୍ସମ୍ଯାନ ଦେବଦତ୍ତ ପଡିକଲ ଓ ସର୍ଫରାଜ ଖାନ୍ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦେବଦତ୍ତ ୧୦ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୫ ରନ୍ ଓ ସର୍ଫରାଜ ୮ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୫୬ ରନ୍ ସଂଗ୍ରହ କରିଥିଲେ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଧ୍ରୁବ ଜୁରେଲ ୧୫ ରନ ଲେଖାଏଁ ସଂଗ୍ରହ କରିଥିବା ବେଳେ ରବୀଚନ୍ଦ୍ରନ ଅଶ୍ବିନ ଖାତା ଖୋଲିପାରି ନଥିଲେ ।

ପ୍ରଥମ ଦିନରେ ଜଶସ୍ବୀ ଜୟଶ୍ବାଲ ରେକର୍ଡ କରିଥିଲେ । ପ୍ରଥମ ଭାରତୀୟ ଭାବେ ସେ ଇଂଲଣ୍ଡ ବିରୋଧରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ପଞ୍ଚମ ଟେଷ୍ଟରେ ୫୭ ରନ ସଂଗ୍ରହ ସହ ପୂରା ଟେଷ୍ଟ ସିରିଜରେ ୬୫୬ ରନ ସଂଗ୍ରହ କରି ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୭ ରନ କରି କୁଲଦୀପ ଯାଦବ ଓ ୧୯ ରନ କରି ଯଶପ୍ରୀତ ବୁମରା ଅପରାଜିତ ଅଛନ୍ତି ।

ଇଂଲଣ୍ଡ ଟସ୍ ଜିଣି ଗୁରୁବାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ଯୋଗୁଁ ୫୭.୪ ଓଭରରେ ୨୧୮ ରନ୍ କରି ଇଂଲଣ୍ଡ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପ୍ରଥମ ଦିନରେ ଗୋଟିଏ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଏଥିରେ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ୫ଟି ଚୌକା ଓ ୩ଟି ଛକା ବଳରେ ୫୭ ରନ୍ ସଂଗ୍ରହ କରିଥିଲେ ।