ଏସିଆନ ଚମ୍ପିଆନ୍ସ ଟ୍ରଫି: ବାଂଲାଦେଶକୁ ୯-୦ରେ ହରାଇଲା ଟିମ୍ ଇଣ୍ଡିଆ

1 min read

ଢ଼ାକା: ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତର ବଡ଼ ବିଜୟ । ଆୟୋଜକ ବାଂଲାଦେଶକୁ ୯-୦ରେ ପରାସ୍ତ କରି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏସିଆନ ଚମ୍ପିଆନ୍ସ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତ ଡିଫେଣ୍ଡିଂ ଚମ୍ପିଆନ କୋରିଆକୁ ଭେଟିଥିଲା । ଏହି ମ୍ୟାଚ ୨-୨ରେ ଡ୍ର’ ହୋଇଥିଲା । ପ୍ରଥମ ମ୍ୟାଚ ଡ୍ର’ ରହିବା ଫଳରେ ଦ୍ୱିତୀୟ ମ୍ୟାଚରେ ବିଜୟ ପାଇଁ ଟର୍ଫକୁ ଓହ୍ଲାଇଥିଲା ବ୍ଲୁ ବ୍ରିଗେଡ । ପ୍ରଥମ ମ୍ୟାଚର ବଦଲା ଦ୍ୱିତୀୟ ମ୍ୟାଚରେ ନେଇଥିଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚକୁ ୯-୦ରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ଦିଲପ୍ରୀତ ସିଂଙ୍କ ହାଟ୍ରିକ ଗୋଲ ଫଳରେ ଭାରତ ଏହି ବିଜୟ ହାସଲ କରିଛି ।

ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ କ୍ୱାଟରର ୧୨ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ ଦିଲପ୍ରୀତ ସିଂହ । ଏହା ପରେ ୨୨ତମ ମିନିଟରେ ଦିଲପ୍ରୀତ ସିଂ ଆଉ ଏକ ଗୋଲ ସ୍କୋର କରି ଭାରତକୁ ୨-୦ରେ ଆଗୁଆ କରିଥିଲେ । ମ୍ୟାଚର ୨୮ ତମ ମିନିଟରେ ଲଳିତ ଉପାଧ୍ୟୟଙ୍କ ଷ୍ଟିକରୁ ଆସିଥିଲା ତୃତୀୟ ଗୋଲ । ସେହିପରି ୪୦ ଓ ୪୨ ତମ ମିନିଟରେ ଜର୍ମନପ୍ରୀତ ସିଂଙ୍କ ଷ୍ଟିକରୁ ଆସିଥିଲା ଯୁଗଳ ଗୋଲ । ୪୪ ତମ ମିନିଟରେ ଦିଲପ୍ରୀତ ସିଂ ଆଉ ଏକ ଗୋଲ ସ୍କୋର କରି ଭାରତକୁ ୬-୦ ଗୋଲରେ ଆଗୁଆ କରିଥିଲେ । ଏଥି ସହ ଦିଲପ୍ରୀତ ସିଂ ହାଟ୍ରିକ ଗୋଲ ସ୍କୋର ମଧ୍ୟ କରିଥିଲେ । ତୃତୀୟ କ୍ୱାଟର ଶେଷ ସୁଦ୍ଧା ଭାରତ ୬-୦ରେ ଆଗୁଆ ରହିଥିଲା । ଚତୁର୍ଥ କ୍ୱାଟରରେ ମଧ୍ୟ ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା । ୫୪ ତମ ମିନିଟରେ ଆକାଶଦୀପ ସିଂ, ୫୫ ମିନିଟରେ ଅଧିନାୟକ ମନପ୍ରୀତ ସିଂ ଓ ୫୭ତମ ମିନିଟରେ ହରମନପ୍ରୀତ ସିଂଙ୍କ ଷ୍ଟିକରୁ ଆସିଥିଲା ଗୋଲ । ଯାହା ଫଳରେ ଏହି ମ୍ୟାଚକୁ ଭାରତ ୯-୦ରେ ବିଜୟ ଲାଭ କରିଥିଲା ।

ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତ ଦୁଇଟି ମ୍ୟାଚ ଖେଳି ଗୋଟିଏରେ ଡ୍ର’ ଓ ଗୋଟିଏ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ।  ଭାରତ ୧୭ ଡିସେମ୍ବରରେ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟୁଥିବା ବେଳେ ୧୯ ଡିସେମ୍ବରରେ ଶେଷ ଲିଗ୍ ମ୍ୟାଚରେ ଜାପାନ ସହ ମୁହାଁମୁହିଁ ହେବ ।

Leave a Reply