ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି୨୦: ପୁଣି ରନ୍ ବର୍ଷା କରିବେ ଭାରତୀୟ ବ୍ୟାଟ୍ସମ୍ୟାନ୍ !

1 min read

ଥିରୁଅନନ୍ତପୁରମ୍: ଭାରତ ଓ ଆଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ଆଜି ଦ୍ବିତୀୟ ମ୍ୟାଚ୍ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ଦୁଇ ଓ୍ବେକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୧-୦ରେ ସିରିଜ ଆଗୁଆ ରହିଛି । ଏହି ମ୍ୟାଚ ଜିତି ୨-୦ରେ ସିରିଜ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । ସନ୍ଧ୍ୟା ୭ଟାରେ ଥିରୁଅନନ୍ତପୁରମ୍ ଗ୍ରୀନଫିଲ୍ଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ କରିବେ ରନ୍ ବର୍ଷା !

ପ୍ରଥମ ମ୍ୟାଚରେ ରନ୍ ବର୍ଷା ହୋଇଥିଲା । ଖାସ କରି ଭାରତୀୟ ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର, ଇଶାନ କିସାନ, ରିଙ୍କୁ ସିଂ ଏବଂ ୟଶସ୍ବୀ ଜାୟସଓ୍ବାଲ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଆଜିର ମ୍ୟାଚରେ ବି ଏହି ଚାରି ଖେଳାଳିଙ୍କ ଭଲ ପ୍ରଦର୍ଶନ ଚାହିଁବ ଦଳ । ପ୍ରଥମ ମ୍ୟାଚରେ ରନ ଆଉଟ ହୋଇଥିବା ଋତୁରାଜ ଗାୟକଓ୍ବାଡ ଏବଂ ତିଲକ ବର୍ମା ଭଲ ଖେଳିବାକୁ ଚେଷ୍ଟା କରିବେ । ଆଜିର ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଅନୁମାନ କରାଯାଉଛି ।

ଓ୍ବାସିଂଟନ ସୁନ୍ଦରଙ୍କୁ ମିଳିବ କି ସୁଯୋଗ ?

ରବି ବିଷ୍ଣୋଇ ଏବଂ ଅକ୍ଷର ପଟେଲ ପ୍ରଥମ ମ୍ୟାଚରେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଏମିତି ସ୍ଥିତିରେ ଭାରତ ସ୍ପିନ ବୋଲିଂ ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦରଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ଦେଇପାରେ । ଏହାସହ ଭାରତ ପାଖରେ ଆଓ୍ବେଶ ଖାନ, ଜିତେଶ ଶର୍ମା ଏବଂ ଶିବମ୍ ଦୁବେ ବି ବିକଳ୍ପ ଅଛନ୍ତି । ହେଲେ ଗୋଟିଏ ମ୍ୟାଚ ପରେ ପ୍ଲେଇଂ-୧୧ରେ ଅଦଳବଦଳ କରିବା ଠିକ ହେବନି ।