ଆଫଗାନିସ୍ତାନ ମ୍ୟାଚରେ ନୂଆ ରେକର୍ଡ କଲେ ରୋହିତ ଓ ରାହୁଲ

1 min read

ଦୁବାଇ: ଛୋଟି ଦିଓ୍ବାଲୀରେ ଭାରତର ବଡ଼ ବିଜୟ । ଚଳିତ ଟି-୨୦ ବିଶ୍ବକପରେ ଲଗାତର ଭାବରେ ଦୁଇଟି ମ୍ୟାଚ ହାରିବା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି ଟିମ୍ ଇଣ୍ଡିଆ । ଗତକାଲି ଆଫଗାନିସ୍ତାନ ବିପକ୍ଷରେ ଭାରତ ଏକ ଦମଦାର ବିଜୟ ଲାଭ କରିଛି ।  ତେବେ ଏହି ବିଜୟ ସହ ଭାରତୀୟ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଗତକାଲି ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ ଦମଦାର ଆରମ୍ଭ କରିଥିଲେ ରୋହିତ-ରାହୁଲ । ଆଫଗାନିସ୍ତାନ ବିପକ୍ଷରେ ଏହି ଦୁଇ ଓପନର ୧୪୦ ରନର ପାର୍ଟନରସିପ୍ କରିଥିଲେ । ରୋହିତ ଶର୍ମା ୪୭ ବଲରେ ୭୪ ରନ କରି ଆଉଟ ହୋଇଥିଲେ । ଯେଉଁଥିରେ ସେ ୮ଟି ଚୌକା ଏବଂ ୩ଟି ଛକା ମାରିଥିଲେ । ସେହିପରି ଭାବରେ କେଏଲ ରାହୁଲ ୪୮ ବଲରେ ୬୯ ରନ କରିଥିଲେ । ଯେଉଁଥିରେ ୬ଟି ଚୌକା ଏବଂ ଦୁଇଟି ଛକା ରହିଛି ।

ଆଫଗାନିସ୍ତାନ ବିପକ୍ଷରେ ରାହୁଲ-ରୋହିତଙ୍କ ମଧ୍ୟରେ ଏକ ଶତକୀୟ ପାର୍ଟନରସିପ ହୋଇଥିଲା । ଟି-୨୦ ଅନ୍ତର୍ଜାତୀୟରେ ଏହା ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଚତୁର୍ଥ ଶତକୀୟ ପାର୍ଟନରସିପ୍ । ଭାରତ ପକ୍ଷରୁ ଏହା ପୂର୍ବରୁ ରୋହିତ ଶର୍ମା ଓ ଶିଖର ଧାଓ୍ବନ ମଧ୍ୟ ଚାରୋଟି ଶତକୀୟ ପାର୍ଟନରସିପ୍ କରିଥିଲେ । ରୋହିତ ଶର୍ମା ଓ କେଏଲ ରାହୁଲ ୨୩ଟି ମ୍ୟାଚରେ ୧୨୦୦ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ଚାରୋଟି ଶତକୀୟ ଓ ୫ଟି ଅର୍ଦ୍ଧଶତକୀୟ ପାର୍ଟନରସିପ ରହିଛି ।ତେବେ ଗତକାଲି ମ୍ୟାଚରେ ଉଭୟ ରୋହିତ ଓ ରାହୁଲ ୧୪୦ ରନର ପାର୍ଟନରସିପ୍ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟି-୨୦ ଅନ୍ତର୍ଜାତୀୟରେ ଭାରତ ପକ୍ଷରୁ ଏହା ଥିଲା ସବୁଠାରୁ ବଡ଼ ପାର୍ଟନରସିପ୍ । ଏହା ପୂର୍ବରୁ ଏହି ରେକର୍ଡ ବିରେନ୍ଦ୍ର ସେହଓ୍ବାଗ ଓ ଗୌତମ ଗମ୍ଭୀରଙ୍କ ନାମରେ ଥିଲା । ସେହଓ୍ବାଗ ଓ ଗମ୍ଭୀର ଇଂଲଣ୍ଡ ବିପକ୍ଷରେ ୧୩୬ ରନର ପାର୍ଟନରସିପ୍ କରିଥିଲେ

Leave a Reply