ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଦଳରେ କାହାକୁ ମିଳିବ ସ୍ଥାନ?

1 min read

ବ୍ୟୁରୋ ରିପୋର୍ଟ: ବିଜୟ ପଥରେ ଭାରତ । ୪ ବିଜୟ ପରେ ଏବେ ନ୍ୟୁଜିଲାଣ୍ଡ ସହ ହେବ ଟକ୍କର । ବିଜୟ ଧାରା ଜାରି ରଖିବାକୁ ଖେଳିବ ରୋହିତ୍ ବାହିନୀ । କିନ୍ତୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିବାରୁ ଲାଗିପାରେ ଝଟକା । ଟିମ୍ ଇଣ୍ଡିଆର ପ୍ରଦର୍ଶନ ବିଶ୍ବକପରେ ଏଯାବତ୍ ଅତ୍ୟନ୍ତ ଭଲ ଥିବା ବେଳେ ପ୍ଲେଇଂ-୧୧ ପରିବର୍ତ୍ତନ କରିବାକୁ ଚାହୁଁ ନଥିଲେ ଭାରତୀୟ ବୋଲିଂ କୋଚ୍ । ମାତ୍ର ଏବେ ହାର୍ଦ୍ଦିକଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ପ୍ଲେଇଂ-୧୧ରେ ନେବାକୁ ବାଧ୍ୟ ହେବେ କ୍ୟାପଟେନ ରୋହିତ ଶର୍ମା । ଏମିତିରେ କ’ଣ ହେବ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ଲେଇଂ-୧୧ କମ୍ବିନେସନ ।  କିଏ ରହିବ କିଏ ପଡିବ ବିଦ୍ ? ସିଲେକସନ ପୂର୍ବରୁ ହେବ ପ୍ରଦର୍ଶନର କଡ଼ା ଆକଳନ ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ବିଶ୍ବକପରେ ମୋଟ ୫ ଓ୍ବିକେଟ ନେଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୧୧ ରନ କରିଥିଲେ । ଆହାତ ହୋଇଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାହାରେ ରହିବେ ହାର୍ଦ୍ଦିକ । ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଅଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ରବିଚନ୍ଦ୍ରନ ଅଶ୍ବିନୀ ମଧ୍ୟ ଅଛନ୍ତି । ଅଶ୍ବିନୀ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓପନିଂ ମ୍ୟାଚ ଖେଳି ଗୋଟିଏ ଓ୍ବିକେଟ ନେଇଥିଲେ । ଲୋୟର ଅର୍ଡରେ ଅଶ୍ବିନୀ ଭଲ ବ୍ୟାଟିଂ ମଧ୍ୟ କରିପାରୁଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ତାଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ସେପଟେ ସୂର୍ଯ୍ୟକୁମାର ଯାଦବ ଓ ମହମ୍ମଦ ଶାମୀଙ୍କୁ ଏଯାବତ ଚଳିତ ବିଶ୍ବକପ ଖେଳିବାର ସୁଯୋଗ ମିଳିନାହିଁ ।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଶାର୍ଦ୍ଦୁଳ ଆଉଟ ଓ ସାମୀ ହୋଇପାରନ୍ତି ଇନ୍ ।  ଶାର୍ଦ୍ଦୁଳଙ୍କୁ ଚଳିତ ବିଶ୍ବକପରେ କ୍ରମାଗତ ଭାବେ ଖେଳିବାର ମଉକା ମିଳିଥିଲେ ମଧ୍ୟ ସେଭଳି ଆଖିଦୃଶିଆ ପ୍ରଦର୍ଶନ ସେ କରିନାହାନ୍ତି; ଯାହାକି ପ୍ରଶଂସକଙ୍କୁ ନିରାଶ କରିଛି । ଆଫଗାନିସ୍ତାନ ବିପକ୍ଷରେ ଅକ୍ଟୋବର ୧୧ ମ୍ୟାଚରେ ଅଶ୍ବିନୀଙ୍କ ସ୍ଥାନରେ ଶାର୍ଦ୍ଦୁଲଙ୍କୁ ସୁଯୋଗ ମିଳିଥିଲା ।  ମାତ୍ର ତାଙ୍କୁ ପ୍ଲେଇଂ ୧୧ରେ ସାମିଲ କରିବା ନେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କଠାରୁ ଆରମ୍ଭ କରି ଇରଫାନ ପଠାନଙ୍କ ପର୍ଯ୍ୟନ୍ତ ସଭିଏଁ ପ୍ରଶ୍ନ ଉଠାଇଥିଲେ । ତାହା କାହିଁକି ଯଥାର୍ଥ ଶାର୍ଦ୍ଦୁଲଙ୍କ ପ୍ରଦର୍ଶନ ଦେଖିଲେ ଜାଣିହେବ । ଶାର୍ଦ୍ଦୁଲ ଆଫଗାନିସ୍ତାନ ବିପକ୍ଷରେ ୬ ଓଭରରେ ୩୧ ରନ ଦେଇ ୧ ଓ୍ବିକେଟ ନେଇଥିଲେ । ପାକିସ୍ତାନ ବିପକ୍ଷରେ ସେ ୨ ଓଭରରେ ୧୨ ରନ ଦେଇ କୌଣସି ଓ୍ବିକେଟ ନେଇ ନ ଥିଲେ ।  ଏବଂ ବାଂଲାଦେଶ ବିପକ୍ଷରେ ୯ ଓଭରରେ ୫୯ ରନ ଦେଇ ୧ ଓ୍ବିକେଟ ନେଇଥିଲେ ।

ଏବେ ପ୍ରଶ୍ନ ଉଠୁଛି ଯେ ସାମୀ ନା ଶାର୍ଦ୍ଦୁଲ? ପ୍ଲେଇଂ-୧୧ରେ କାହାର ହେବ ଏଣ୍ଟ୍ରି ? ଶାର୍ଦ୍ଦୁଳ ଠାକୁର ଏଯାବତ ସେଭଳି କିଛି ପ୍ରଦର୍ଶନ କରିନାହାନ୍ତି ଯାହା ଆଧାରରେ ଧର୍ମଶାଳାରେ ତାଙ୍କୁ ସୁଯୋଗ ଦିଆଯିବା ଯଥାର୍ଥ ହେବ । ଏମିତିରେ ଉତ୍ତମ ବିକଳ୍ପ ଭାବେ ଅଛନ୍ତି ଶାମୀ । ଶାମୀ ଦିନିକିଆ ବିଶ୍ବକପ ୨୦୧୫ ଓ ୨୦୧୯ରେ ମୋଟ ୧୧ଟି ମ୍ୟାଚ ଖେଳି ୩୧ ଓ୍ବିକେଟ ନେଇଥିଲେ । ଚଳିତ ବିଶ୍ବକପରେ ସାମୀଙ୍କୁ ଏଯାବତ ସୁଯୋଗ ନ ଦିଆଯିବା ନେଇ ପ୍ରଶଂସକଙ୍କ କ୍ରୋଧ ସୋସିଆଲ ମିଡିଆରେ ବେଶ ଦେଖିବାକୁ ମିଳୁଛି ।

ସେପଟେ ମହମ୍ମଦ ସିରାଜ ଏସିଆ କପରେ  ୨୧ ରନ ଦେଇ ୬ ଓ୍ବିକେଟ ନେଇଥିଲେ । ମାତ୍ର ତାହାପରେ ସେଭଳି ବଡ଼ କମାଲ ଆଉ ସିରାଜ ଦେଖାଇପାରିନାହାନ୍ତି । ବରଂ ବିଶ୍ବକପରେ ସେ ଟିମ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୬.୩ ଓଭରରେ ୨୬ ରନ ଦେଇ ୧ ଓ୍ବିକେଟ ନେଇଥିଲେ । ଅଫଗାନିସ୍ତାନ ବିପକ୍ଷରେ ୯ ଓଭଳରରେ ୭୬ ରନ ଦେଇ ଓ୍ବିକେଟ ନେବାରେ ବିଫଳ ରହିଥିଲେ । ପାକିସ୍ତାନ ବିପକ୍ଷରେ ୮ ଓଭରରେ ୫୦ ରନ ଦେଇ ୨ ଟି ଓ ବାଂଲାଦେଶ ବିପକ୍ଷରେ ୧୦ ଓଭରରେ ୬୦ ରନ ଦେଇ ୨ଟି ଓ୍ବିକେଟ ନେଇଥିଲେ ।

ଏମିତିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଧର୍ମଶାଳା ପିଚ୍କୁ ଓହ୍ଲାଇପାରେ ଟିମ ଇଣ୍ଡିଆର ଏହି ସମ୍ଭାବ୍ୟ  ପ୍ଲେଇଂ-୧୧: ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଅୟର, କେଏଲ ରାହୁଲ (ଓ୍ବିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ, ଶାର୍ଦ୍ଦୁଲ ଠାକୁର/ ମହମ୍ମଦ ଶାମୀ, କୂଳଦୀପ ଯାଦବ, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ ।