ଏଲଏସିରେ ଏକାଠି ହେବେ ଭାରତ-ଆମେରିକା, ଚୀନକୁ ଚଖାଇବେ ପାନେ

1 min read

ଡେରାଡୁନ: ଏଲଏସି (ବାସ୍ତବିକ ନିୟନ୍ତ୍ରଣ ରେଖା)ରେ ଚୀନର ଆକ୍ରମଣାତ୍ମକ ଗତିବିଧିକୁ ଅଟକାଇବ ଭାରତ  । ଆମେରିକା ସହ ହାତ ମିଶାଇ ଚୀନକୁ ଦେବ ପାନେ  । ଚୀନର ବିବାଦିତ ସୀମା ଠୁ ୧୦୦ କିଲୋମିଟରରୁ କମ ଦୂରତାରେ ଆମେରିକା ସହ ସମରାଭ୍ୟାସ କରିବ ଭାରତ  । ଅକ୍ଟୋବର ମଧ୍ୟଭାଗରୁ ଉତ୍ତରାଖଣ୍ଡର ଓଲିରେ ୧୦ ହଜାର ଫୁଟ ଉଚ୍ଚତାରେ ଆରମ୍ଭ ହେବ ସମରାଭ୍ୟାସ  । ଓଲି ଏଲଏସି ଠାରୁ ପ୍ରାୟ ୯୫ କିଲୋମିଟର ଦୂରତାରେ ରହିଛି  । ଯାହା ଏକ ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା  ।

ଚଳିତ ବର୍ଷ ଭାରତ ଗସ୍ତରେ ଆସିଥିବା ଆମେରିକା ସେନାର ପେସିଫିକ କମାଣ୍ଡିଂ ଜେନେରାଲ ବିବାଦିତ ସୀମା ନିକଟରେ ଚୀନ ସେନା ଏକତ୍ର ହେବା ଘଟଣାକୁ ବିପଦଜ୍ଜନକ କହିଥିଲା  । ଭାରତ ସହ ସମର ଅଭ୍ୟାସ ଏକ ସ୍ବତନ୍ତ୍ର ଓ ହିନ୍ଦ-ପ୍ରଶାନ୍ତ ମହାସାଗର ଦୃଷ୍ଟିକୋଣକୁ ମଜବୁତ କରିବା ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ବ ବୋଲି କହିଥିଲା ଆମେରିକା  । ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟ ନେଇ ଚୀନ ସୀମାରେ  ଏହି ସୈନ୍ୟ ଅଭ୍ୟାସ ଆରମ୍ଭ କରିବେ ଭାରତ ଆମେରିକା  ।

ଏହି ସମରାଭ୍ୟାସ ଦୁଇ ଦେଶର ୧୮ତମ ସଂସ୍କରଣର ଏକ ଭାଗ ହେବ । ଗତ ଜୁନ ୨୦୨୦ ରେ ଗଲୱାନ ଘାଟିରେ ଭାରତ ଓ ଚୀନ ସେନାର ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସ୍ଥିତି ଚିନ୍ତାଜନକ ରହିଛି  । ଏହି ସଂଘର୍ଷରେ ପ୍ରାୟ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ  । ସୀମାରେ ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ପୋଲ ନିର୍ମାଣ କରିବା ପରେ ପରିସ୍ଥିତି ଆହୁରି ଅଶାନ୍ତ ହୋଇ ପଡିଛି  ।