ଭାରତ-ଆମେରିକା ମଧ୍ୟରେ ବଢ଼ିବ ପ୍ରତିରକ୍ଷା ଓ ଦ୍ୱିପାକ୍ଷିକ ସମ୍ପର୍କ

1 min read

ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ବଢ଼ିବ ପ୍ରତିରକ୍ଷା ଓ ଦ୍ୱିପାକ୍ଷିକ ସମ୍ପର୍କ । ବିଶ୍ୱରେ ସ୍ଥିରତା ନେଇ ଉଭୟ ରାଷ୍ଟ୍ର କାର୍ଯ୍ୟ କରିବେ । ଆମେରିକା ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିଡ୍ ଅଷ୍ଟିନ ଓ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟରେ ହୋଇଛି ହାଇପ୍ରୋଫାଇଲ ଆଲୋଚନା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭର୍ଚୁଆଲ ମିଟ୍ ପରେ ଏହି ୨ ପ୍ଲସ ୨ ଆଲୋଚନା ହୋଇଛି । ଜୟଶଙ୍କର କହିଛନ୍ତି, ଏହି ଆଲୋଚନା ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ମଜବୁତ କରିବ ।

ପ୍ରତିରକ୍ଷା, ନିରାପତ୍ତା, ବୈଦେଶିକ ନୀତି ଲାଗି ପ୍ରଶସ୍ତ ମାର୍ଗ ଉନ୍ମୋଚିତ ହୋଇଛି । ୧୬୦ ବିଲିୟନ ଡଲାରର ବାଣିଜ୍ୟିକ ସମ୍ପର୍କ, ଆମେରିକାରେ ଅଧ୍ୟୟନରତ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ, ନିବେଶ, ଶକ୍ତି କ୍ଷେତ୍ରରେ ନିବେଶ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । କୋଭିଡ ମୁକାବିଲାରେ ବି ଭାରତ ଓ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଜୟଶଙ୍କର । ସେହିପରି ବ୍ଲିଙ୍କେନ କହିଛନ୍ତି, ଏହି ଆଲୋଚନା ବେଳେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ, କୋଭିଡ ମୁକାବିଲା, ଭାରତ-ପ୍ରଶାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା, ମହାକାଶ ସମ୍ପର୍କ, ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ସହଭାଗିତା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି ।

ସେହିପରି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ ମଧ୍ୟ ଭାରତ-ପ୍ରଶାନ୍ତ ଅଞ୍ଚଳରେ ନିରାପତ୍ତା ସମେତ ପ୍ରତିରକ୍ଷା ସହଭାଗିତା ଉପରେ ଗୁରୁତ୍ୱ ଦେଇଥିଲେ । ଯେ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଆମେରିକା ପ୍ରସ୍ତୁତ ବୋଲି ସେ କହିଥିଲେ । ସେହିପରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଭାରତ-ଆମେରିକା କୌଶଳଗତ ସମ୍ପର୍କକୁ ଶକ୍ତିଶାଳୀ କରିବ ବୋଲି କହିଥିଲେ ରାଜନାଥ । ଭାରତରେ ଅଧିକରୁ ଅଧିକ ଆମେରିକୀୟ କମ୍ପାନୀ ନିବେଶ କରିବାକୁ ରାଜନାଥ ଆହ୍ୱାନ ଦେଇଛନ୍ତି ।