ବିବାଦୀୟ ୨୦୨୧: କେନ୍ଦ୍ର-ଟ୍ବିଟର ‘ଡିଜିଟାଲ ଓ୍ବାର୍’

1 min read

ନୂଆଦିଲ୍ଲୀ: ଆଜିର ଦିନରେ ଏମିତି କେହି ଥିବେ କୌଣସି ନା କୌଣସି ସୋସିଆଲ ପ୍ଲାଟଫର୍ମରେ ନଥିବେ । ପ୍ରାୟ ସମସ୍ତେ କୌଣସି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସହ ଜଡ଼ିତ ଥିବେ । କେବଳ ସାଧାରଣ ଲୋକେ ନୁହଁନ୍ତି, ରାଜେନୖତିକ ଦଳ ଓ ଅନୁଷ୍ଠାନ ବି ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଛନ୍ତି । ସରକାରୀ କାମଠାରୁ ଆରମ୍ଭ କରି ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ ସାଜିଛି ସୋସିଆଲ ମିଡ଼ିଆ । ହେଲେ ବିଦାୟୀ ବର୍ଷ ୨୦୨୧ ଭାରତ ସରକାର ସୋସିଆଲ ମିଡ଼ିଆ ମଧ୍ୟରେ ନେଇ ଆସିଥିଲା ଏକ ବିବାଦୀୟ ଝଡ଼ । ବିଶେଷ କରି ଭାରତ ସରକାରଙ୍କ ସହ ଟ୍ବିଟରର ବିବାଦ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କେନ୍ଦ୍ର ସରକାର ଆଣିଥିବା ନୂଆ ଆଇଟି ନିୟମକୁ ନେଇ ଆରମ୍ଭ ହୋଇଥିବା ଏହି ଡିଜିଟାଲ ଓ୍ବାର୍ ଏତେ ଉଗ୍ର ହୋଇଥିଲା ଯେ ସରକାରଙ୍କୁ ଟ୍ବିଟରକୁ ‘ନିୟମ ମାନ, ନହେଲେ ଭାରତ ଛାଡ଼’ ଭଳି ଚେତାବନୀ ଦେଇ ଦେଇଥିଲା ।

ଟ୍ବିଟର ସହ ଆରମ୍ଭ ହୋଇଥିବା ଏହି ଡିଜିଟାଲ ଓ୍ବାରରେ ଉପରାଷ୍ଟ୍ରପତି, RSS ମୁଖ୍ୟ ଓ କିଛି ବିଜେପି ନେତାଙ୍କୁ ଟାଣି ବିବାଦୀୟ ହୋଇ ପଡ଼ିଥିଲା ଟ୍ବିଟର୍ । ଶେଷରେ ସରକାରଙ୍କ କଡ଼ା ଆଭିମୁଖ୍ୟ ଆଗରେ ଟ୍ବିଟର ମୁଣ୍ଡ ନୁଆଁଇବା ସହ ୟୁ-ଟର୍ଣ୍ଣ ମାରିଥିଲା । ୨୦୨୧ ବର୍ଷରେ ବିବାଦରେ ରହିଥିବା ଏହି ଡିଜିଟାଲ ଓ୍ବାରକୁ ନେଇ ଆମର ବିଶେଷ ଉପସ୍ଥାପନା ‘କେନ୍ଦ୍ର-ଟ୍ବିଟର ଡିଜିଟାଲ ଓ୍ବାର୍’ । ଆସନ୍ତୁ ଜାଣିବା କେଉଁଠୁ ଆରମ୍ଭ ହୋଇ କେଉଁଠି ପହଞ୍ଚି ଥିଲା ଏହି ବିବାଦୀୟ ଡିଜିଟାଲ ଓ୍ବାର୍ ।

ଭାରତ ସରକାର-ଟ୍ବିଟର ବିବାଦ ଆରମ୍ଭ

ନୂଆ ବର୍ଷ ୨୦୨୧ ଆସୁ ଆସୁ ଟ୍ବିଟର ଓ ଭାରତ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଡିଜିଟାଲ ଯୁଦ୍ଧ । ଚାଷୀ ଆନ୍ଦୋଳନ ଆଳରେ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ବାହାରିଥିବା ଟ୍ରାକ୍ଟର ରାଲି ସମୟରେ ଦେଖିବାକୁ ମିଳିଥିଲା ବ୍ୟାପକ ହିଂସା । ଏହି ସମୟରେ ଟ୍ବିଟରରେ ଏକାଧିକ ଫେକ୍ ନ୍ୟୁଜ୍ ଓ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା । ଏହାପରେ ଏସବୁ ଆକାଉଣ୍ଟ ୟୁଜର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ୟୁଜର୍ସମାନେ ଦେଶରେ ଅସ୍ଥିରତା ସୃଷ୍ଟି କରିବା ସହ ଫେକ୍ ନ୍ୟୁଜ ପ୍ରସାରିତ କରୁଥିବା କେନ୍ଦ୍ର ସରକାର ସଫେଇ ଦେଇଥିଲେ । ଏହାପରେ ଟ୍ବିଟର ୨୫୭ ଜଣଙ୍କ ଆକାଉଣ୍ଟ ସସପେଣ୍ଡ କରିଥିଲା । ହେଲେ କିଛି ଘଣ୍ଟା ପରେ ପୁଣି ଏସବୁ ଆକାଉଣ୍ଟକୁ ଆକ୍ଟିଭ କରି ଦେଇଥିଲା । ଯାହାକୁ ନେଇ କେନ୍ଦ୍ର ସରକାର ଓ ଟ୍ବିଟର ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ ।

ଟ୍ବିଟରର ଏପରି ସରକାରୀ ବିରୋଧୀ ଆଚରଣ ପରେ ୪ ଫେବୃଆରୀକୁ କେନ୍ଦ୍ର ୧୧୫୭ଟି ଆକାଉଣ୍ଟ ତାଲିକା ଦେବା ସହ ଏସବୁ ଆକାଉଣ୍ଟଧାରୀ ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା କହିଥିଲା । ଏସବୁ ଆକାଉଣ୍ଟରୁ ଅଧିକାଂଶ ପାକିସ୍ତାନ କିମ୍ବା ଖାଲିସ୍ତାନ ସମର୍ଥକଙ୍କ ସହ ସମ୍ପୃକ୍ତ ଥିବା ସରକାର କହିଥିଲେ । ହେଲେ ଟ୍ବିଟର୍ ସବୁ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ କିଛି ଆକାଉଣ୍ଟକୁ ବ୍ଲକ କରି ଚୁପ ବସିଯାଇଥିଲା ।

କାହିଁକି ଆସିଲା ନୂଆ ‘ଆଇଟି ନିୟମ’ ?

ଟ୍ବିଟରର ଏମିତି ମନମାନୀକୁ ଦେଖି ଦେଶ ପାଇଁ ନୂଆ ଆଇଟି ନିୟମ ଲାଗୁ କରିବାକୁ ସରକାର ମନସ୍ଥ କରିଥିଲେ ଓ ଫେବୃଆରୀ ୨୫ ତାରିଖରେ ଭାରତରେ ଲାଗୁ ହୋଇଥିଲା ନୂଆ ଆଇଟି ନିୟମ । ନୂଆ ନିୟମ ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ଭାରତରେ ଜଣେ ଗ୍ରାଇଭାନ୍ସ ଅଫିସର ନିଯୁକ୍ତି ଦେବାକୁ ପଡ଼ିବ । କୌଣସି ଦେଶ ବିରୋଧୀ ଉତ୍ତେଜକ ଟ୍ବିଟ ଓ ପୋଷ୍ଟକୁ ନେଇ ତଥ୍ୟ ମାଗିଲେ ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ଏହାର ଅରଜିନେଟର (ମୂଳ ୟୁଜର୍ସ)ଙ୍କ ସୂଚନା ଦେବାକୁ ପଡ଼ିବ । ଏହାସହ ସରକାର ଯଦି କୌଣସି ଆପତ୍ତିଜନକ କମେଣ୍ଟକୁ ହଟାଇବାକୁ ଆଦେଶ ଦେବେ ତେବେ ୩୬ ଘଣ୍ଟା ମଧ୍ୟରେ ଏହା ଉପରେ ଆକ୍ସନ ନେବାକୁ ପଡ଼ିବ ।

ଭାରତର ନୂଆ ଆଇନ ମାନିବାକୁ ଟ୍ବିଟର ନାରାଜ୍

ବାକ ସ୍ବାଧୀନତା (freedom of Speach ) ଉପରେ ଏହା ଆଙ୍କୁଶ କହି ଟ୍ବିଟର ନୂଆ ଆଇଟି ନିୟମ ପାଳନ କରିବାକୁ ଖୋଲାଖୋଲି ମନା କରିଦେଇଥିଲା । ହେଲେ ଯେଉଁ ଦେଶରେ ଟ୍ବିଟର କାମ କରୁଛି ସେ ଦେଶର ଆଇନକୁ ମାନିବାକୁ ବାଧ୍ୟ ଓ ଏଥିରେ freedom of speech ବାଧିତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ ।

ଭାରତର କଟା ଘା’ରେ ହାତ ମାରି ଦେଲା ଟ୍ବିଟର

ଏପରି କଥା କଟାକଟି ଭିତରେ ଟ୍ବିଟର ଭାରତର ସୁରକ୍ଷା ଓ ସର୍ବଭୌମତାରେ ହାତ ମାରି ଦେଇଥିଲା । ଯାହାକୁ ନେଇ ପ୍ରାୟ ଦୁଇ ବର୍ଷ ହେଲା ପୂରା ଦେଶ ଚୀନ ସହ ଏକ ପ୍ରକାର ଯୁଦ୍ଧ ଲଢୁଛି ସେ କଟା ଘା’ରେ ଟ୍ବିଟର ହାତ ମାରି ଦେଇଥିଲା ।  ଲଦାଖର କିଛି ଅଂଶକୁ ଟ୍ବିଟର୍ ଚୀନର ବୋଲି ଦର୍ଶାଇ ମ୍ୟାପ୍ ଛାଡ଼ି ଦେଇଥିଲା । ଯାହାକୁ ନେଇ ଭାରତ ସରକାରଙ୍କ ସହ ପୂରା ଦେଶରେ ଉଠିଥିଲା ବିରୋଧର ସ୍ବର । ଆପତ୍ତି ପରେ ବି ଟ୍ବିଟର ସଙ୍ଗେ ସଙ୍ଗେ ଏହାକୁ ନହାଟାଇ ସମୟ ନେଇଥିଲା । ଯାହା ଭାରତୀୟଙ୍କୁ ପ୍ରଥମ ଥର ପାଇଁ ଟ୍ବିଟରକୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ବାଧ୍ୟ କରିଥିଲା । ଏହାପରେ କରୋନା B.1.617କୁ ‘Indian variant’ କହି ହୋଇଥିବା ପୋଷ୍ଟ ଉପରେ ସରକାର ଆପତ୍ତି ଉଠାଇଥିଲେ ବି ଟ୍ବିଟର ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା କି ଏହାକୁ ହଟାଇ ନଥିଲା ।

ଥାନାକୁ ଗଲା ଟ୍ବିଟର୍

ଏତିକିରେ ଅଟକି ନଥିଲା ଟ୍ବିଟର । ସତେ ଯେମିତି ଭାରତୀୟ ଆଇନକୁ ବେଖାତିର କରିବାକୁ ଓ ସରକାରଙ୍କ ବିରୋଧରେ ଡିଜିଟାଲ ଯୁଦ୍ଧ କରିବାକୁ ମନସ୍ଥ କରିଥିଲା ଟ୍ବିଟର । ଚୀନ ଓ କରୋନା ଭାରିଆଣ୍ଟକୁ ନେଇ ସରକାରଙ୍କୁ ବିରୋଧ କରିବା ପରେ ସରକାରୀ ଦଳ ବିଜେପିର ନେତାଙ୍କୁ ଟାର୍ଗେଟ କରିଥିଲା ଟ୍ବିଟର । ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ କିଛି ନେତାଙ୍କ ପୋଷ୍ଟରେ ‘Manipulated Media’ ଟ୍ୟାଗ ଲଗାଇ ଦେଲା । ଏହାକୁ ନେଇ ଏତଲା ଦାୟର ହେବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଟ୍ବିଟର ଅଫିସରେ ପହଞ୍ଚି ଯାଇଥିଲା । ପୋଲିସ ଆକ୍ସନ ଦେଖି ଭାରତରେ ନିଜ କର୍ମଚାରୀଙ୍କ ସୁରକ୍ଷା ସହ ପୁଣି ଥରେ freedom of Speach କଥା ଉଠାଇଥିଲା ଟ୍ବିଟର । ଯାହାକୁ ନେଇ ଆଇଟି ମନ୍ତ୍ରାଳୟ ଖପ୍ପା ହୋଇଯାଇଥିଲା ଓ ଟ୍ବିଟର ଭାରତ ଭିତରେ ନିଜର ଯାଞ୍ଚ କମିଟି ଓ କୋର୍ଟ ବନାଇବାକୁ ଚେଷ୍ଟା କରୁଛି ବୋଲି ଟିପ୍ପଣୀ ଦେଇଥିଲା ।

ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ହଟାଇଲା ବ୍ଲୁ ଟିକ୍

ଏତେ ପରେ ବି ଟ୍ବିଟର ଭାରତ ସରକାରଙ୍କ ଆଇଟି ନିୟମକୁ ମାନିବାକୁ ପ୍ରସ୍ତୁତ ନଥିଲା । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇ ଦେଇଥିଲା । କେବଳ ଉପରାଷ୍ଟ୍ରପତି ନୁହଁନ୍ତି, RSS ମୁଖ୍ୟ ମୋହନ ଭଗତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ୍ ହଟାଇ ଦେଇଥିଲା । ଏହାପରେ ସ୍ଥିତି ଆହୁରି ସଙ୍ଗୀନ ହୋଇଥିଲା ଓ କେନ୍ଦ୍ର ସରକାର ଟ୍ବିଟରକୁ ଚରମ ଚେତାବନୀ ଦେଇଥିଲେ ।

ଟ୍ବିଟରକୁ ଚରମ ଚେତାବନୀ

ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ (Ministry of Electronics and Information Technology) ଟ୍ବିଟରକୁ ଖୋଲା ଚେତବାନୀ ଦେଇଥିଲେ । ମନ୍ତ୍ରଳୟ ପକ୍ଷରୁ କୁହାଯାଇଥିଲା ନିୟମ ପାଳନ ନକରି ଟ୍ବିଟର ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ନିଜର ପ୍ରତିବଦ୍ଧତା ନଥିବାକୁ ଦର୍ଶାଉଛି । ଏହା ଭାରତୀୟଙ୍କୁ ନିଜ ମଞ୍ଚରେ ସୁରକ୍ଷା ଦେବାକୁ ଚେଷ୍ଟା କରୁନାହିଁ । ଭାରତରେ ରହିବାକୁ ହେଲେ ଟ୍ବିଟର ଦେଶର ନିୟମ ମାନିବାକୁ ବାଧ୍ୟ ବୋଲି ଚେତାବନୀ ଦେଇଥିଲା ମନ୍ତ୍ରାଳୟ ।

ୟୁ-ଟର୍ଣ୍ଣ ମାରିଲା ଟ୍ବିଟର୍

ସରକାରଙ୍କ ଚରମ ଚେତାବନୀ ପରେ ଟ୍ବିଟର ସିଧା ବାଟକୁ ଆସି ଯାଇଥିଲା । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଆରଏସଏସ ମୁଖ୍ୟ ମୋହନ ଭଗତ, ସୁରେଶ ଜୋଷୀ ଓ ଅରୁଣ କୁମାର ଜୋଷୀଙ୍କ ସମେତ ଆରଏସଏସ ନେତାଙ୍କ ଟ୍ବିଟର ଆକାଉଣ୍ଟରେ ପୁଣି ବ୍ଲୁ ଟିକ୍ ଦେଇଥିଲା । ସେତିକି ନୁହେଁ ଏହାକୁ ନେଇ ଟ୍ବିଟର ନିଜ ସଫେଇ ମଧ୍ୟ ରଖିଥିଲା ।

ସୂଚନାଯୋଗ୍ୟ, ମେ’ ୨୫ ତାରିଖରେ ନୂଆ ଆଇଟି ନିୟମ ଲାଗୁ ହେବାର ଥିଲା । ହେଲେ ମନମାନୀ କାରଣରୁ ମେ’ ୨୬ରେ ଟ୍ବିଟରକୁ ପ୍ରଥମ ନୋଟିସ ହୋଇଥିଲା । ଏହାପରେ ମେ’ ୨୮ରେ ଦ୍ବିତୀୟ, ଜୁନ ୨ରେ ତୃତୀୟ ଓ ଜୁନ ୫ରେ ଶେଷ ନୋଟିସ୍ ପଠାଇ ଯାଇଥିଲା । ଯାହା ପରେ ଟ୍ବିଟର୍ ବୁଦ୍ଧି ଗୁଡମ୍ ହୋଇ ଯାଇଥିଲା ଓ କେନ୍ଦ୍ର ସରକାରଙ୍କ ନିୟମ ମାନିବାକୁ ବାଧ୍ୟ ହୋଇଥିଲା ।

Leave a Reply