ଆସନ୍ତା ମାର୍ଚ୍ଚ ୩୧ରୁ ଦେଶରୁ ହଟିବ କୋଭିଡ କଟକଣା, ମାସ୍କ ଓ ସାମାଜିକ ଦୂରତା ନିୟମ ରହିବ ବଳବତ୍ତର

1 min read

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ଧରି ସାରା ବିଶ୍ୱକୁ କଲବଲ କରୁଛି କରୋନା ମହାମାରୀ । ପ୍ରାୟ ଦୁଇ ବର୍ଷ ଦେଶରେ କରୋନା ଦ୍ରୁତ ଗତରେ ବୃଦ୍ଧି ପାଇବା ପରେ ଏବେ ଦେଶରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି । ଦେଶରେ ଦୈନିକ ସଂକ୍ରମଣ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଦେଶରୁ କୋଭିଡ କଟକଣା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ସାରା ଦେଶରେ ଲାଗୁ ହୋଇଥିବା ମହାମାରୀ ଆଇନକୁ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏବେବି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର୍ସ -ଏସଓପି ଜାରି ରହିବ ।

କେନ୍ଦ୍ର ସରକାର ଏପ୍ରିଲ ପହିଲାରୁ କୋଭିଡ ମୁକାବିଲା ସଂପର୍କିତ ସ୍ବତନ୍ତ୍ର କଟକଣା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  । ତେବେ, ସ୍ବାସ୍ଥ୍ୟ ମନ୍ତ୍ରାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର୍ସ -ଏସଓପି ଜାରି ରହିବ  । କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖରେ ବିପଯ୍ୟୟ ପରିଚାଳନା ଅଧିନିୟମ ଅନ୍ତର୍ଗତ ଏକାଧିକ କଟକଣା ଜାରି କରିଥିଲେ  । ସେସବୁ କଟକଣାର ଅବଧି ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି  । ପ୍ରାୟ ଦୁଇ ବର୍ଷ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ କୋଭିଡ ମୁକାବିଲା ସଂପର୍କିତ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି  । ଜାତୀୟ ବିପଯ୍ୟୟ ପରିଚାଳନା ପ୍ରାଧିକରଣର ସୁପାରିସ ପରେ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି  ।

ଦେଶରେ କରୋନା କଟକଣା ପ୍ରତ୍ୟାହାର ନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ଆଗକୁ କୋଭିଡ ସ୍ଥିତି ଦେଖି ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ ଗତ ୨୪ ମାସ ମଧ୍ୟରେ ମହାମାରୀ ପରିଚାଳନା ପାଇଁ ବିଭିନ୍ନ ଦକ୍ଷତା ବିକାଶ କରାଯାଇଛି । ଏଥିମଧ୍ୟରେ ପରୀକ୍ଷା, ନୀରିକ୍ଷଣ, ଯୋଗାଯୋଗ ଅନୁସନ୍ଧାନ, ଚିକିତ୍ସା, ଟୀକାକରଣ, ଡାକ୍ତରଖାନାର ବିକାଶ ଅନ୍ତର୍ଭୁକ୍ତ । ଏହା ସହିତ ସାଧାରଣ ଲୋକଙ୍କ ମଧ୍ୟରେ କୋଭିଡ ବିଷୟରେ ସଚେତନତା ମଧ୍ୟ ବୃଦ୍ଧି ପାଇଛି । ତେବେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ । ୨୦୨୦ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିଲା ଦେଶରେ ମହାମାରୀ ଆଇନ ।