ଆସନ୍ତା ମାର୍ଚ୍ଚ ୩୧ରୁ ଦେଶରୁ ହଟିବ କୋଭିଡ କଟକଣା, ମାସ୍କ ଓ ସାମାଜିକ ଦୂରତା ନିୟମ ରହିବ ବଳବତ୍ତର
1 min readନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ଧରି ସାରା ବିଶ୍ୱକୁ କଲବଲ କରୁଛି କରୋନା ମହାମାରୀ । ପ୍ରାୟ ଦୁଇ ବର୍ଷ ଦେଶରେ କରୋନା ଦ୍ରୁତ ଗତରେ ବୃଦ୍ଧି ପାଇବା ପରେ ଏବେ ଦେଶରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି । ଦେଶରେ ଦୈନିକ ସଂକ୍ରମଣ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଦେଶରୁ କୋଭିଡ କଟକଣା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ସାରା ଦେଶରେ ଲାଗୁ ହୋଇଥିବା ମହାମାରୀ ଆଇନକୁ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏବେବି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର୍ସ -ଏସଓପି ଜାରି ରହିବ ।
Correction | Union Home Secretary writes to all Administrators, advises them to consider appropriately discontinuing issue of guidelines under Disaster Mgmt Act for Covid containment measures.
Advisories on Covid containment measures, including use of face masks will continue. pic.twitter.com/5kbCeKMzSe
— ANI (@ANI) March 23, 2022
କେନ୍ଦ୍ର ସରକାର ଏପ୍ରିଲ ପହିଲାରୁ କୋଭିଡ ମୁକାବିଲା ସଂପର୍କିତ ସ୍ବତନ୍ତ୍ର କଟକଣା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ, ସ୍ବାସ୍ଥ୍ୟ ମନ୍ତ୍ରାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର୍ସ -ଏସଓପି ଜାରି ରହିବ । କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖରେ ବିପଯ୍ୟୟ ପରିଚାଳନା ଅଧିନିୟମ ଅନ୍ତର୍ଗତ ଏକାଧିକ କଟକଣା ଜାରି କରିଥିଲେ । ସେସବୁ କଟକଣାର ଅବଧି ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି । ପ୍ରାୟ ଦୁଇ ବର୍ଷ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ କୋଭିଡ ମୁକାବିଲା ସଂପର୍କିତ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ବିପଯ୍ୟୟ ପରିଚାଳନା ପ୍ରାଧିକରଣର ସୁପାରିସ ପରେ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଦେଶରେ କରୋନା କଟକଣା ପ୍ରତ୍ୟାହାର ନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ଆଗକୁ କୋଭିଡ ସ୍ଥିତି ଦେଖି ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ ଗତ ୨୪ ମାସ ମଧ୍ୟରେ ମହାମାରୀ ପରିଚାଳନା ପାଇଁ ବିଭିନ୍ନ ଦକ୍ଷତା ବିକାଶ କରାଯାଇଛି । ଏଥିମଧ୍ୟରେ ପରୀକ୍ଷା, ନୀରିକ୍ଷଣ, ଯୋଗାଯୋଗ ଅନୁସନ୍ଧାନ, ଚିକିତ୍ସା, ଟୀକାକରଣ, ଡାକ୍ତରଖାନାର ବିକାଶ ଅନ୍ତର୍ଭୁକ୍ତ । ଏହା ସହିତ ସାଧାରଣ ଲୋକଙ୍କ ମଧ୍ୟରେ କୋଭିଡ ବିଷୟରେ ସଚେତନତା ମଧ୍ୟ ବୃଦ୍ଧି ପାଇଛି । ତେବେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ । ୨୦୨୦ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିଲା ଦେଶରେ ମହାମାରୀ ଆଇନ ।