ଆଜି ପଞ୍ଚଭୂତରେ ଲୀନ ହେବ ଡକ୍ଟର ମନମୋହନ ସିଂହ ମରଶରୀର

ନୁଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ହେବ ଶେଷକୃତ୍ୟ। ସକାଳ ସାଢେ ୯ଟାରେ ଆରମ୍ଭ ହେବ ଶେଷ ଯାତ୍ରା । ପ୍ରଥମେ ମନମୋହନ ସିଂହଙ୍କ ବାସଭବନରୁ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିବ ପାର୍ଥିବ ଶରୀର । କଂଗ୍ରେସ ମୁଖ୍ୟାଳୟରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ସମ୍ପନ୍ନ ହେବ। ସରକାରଙ୍କ ପକ୍ଷରୁ ଆଜି ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକରେ କାନ୍ଦୁଛି ସାରା ଦେଶ। ଚାରିଆଡେ ଶୋକର ଛାୟା ଖେଳିଯାଇଛି । ସାତ ଦିନିଆ ଶୋକ ପାଳୁଛି ଦେଶ । ସବୁଠି ଜାତୀୟ ପତାକା ଅର୍ଦ୍ଧନମିତ । ବାତିଲ ହୋଇଛି ସମସ୍ତ ସରକାରୀ କାର୍ଯ୍ୟକ୍ରମ । ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ନେତା, ଜନତା ଓ ଦଳୀୟ କର୍ମୀ। ଦିଲ୍ଲୀ ମୋତିଲାଲ ନେହରୁ ମାର୍ଗ ସ୍ଥିତ ବାସଭବନରେ ମନମୋହନଙ୍କ ପାର୍ଥିକ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯାଇଛି । ଗତକାଲି ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଆମ ସମସ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଦେଶ ବିଭାଜନ ସମୟରେ ଭାରତକୁ ଆସି ଜୀବନର ସମସ୍ତ କ୍ଷେତ୍ରରେ ଉପଲବ୍ଧି ହାସଲ କରିବା ସହଜସାଧ୍ୟ କଥା ନୁହଁ । ଜଣେ ଶ୍ରେଷ୍ଠ ବ୍ଯକ୍ତିତ୍ଵ ଏବଂ ବିଦ୍ଵାନ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କୁ ଦେଶ ସର୍ବଦା ମନେ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବାସଭବନକୁ ଆସି ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।