spot_img

Latest Posts

ବାରବାଟୀ ମ୍ୟାଚ ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ କୋଚ ଓ କ୍ୟାପଟେନ

ପୁରୀ : ମହାପ୍ରଭୁଙ୍କ ଆଶିଷ ନେଲେ କୋଚ ଓ କ୍ୟାପଟେନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କ୍ରିକେଟ ଇଣ୍ଡିଆର ଖେଳାଳି । ବାରବାଟୀ ମ୍ୟାଚ ପୂର୍ବରୁ ପୁରୀରେ ପହଞ୍ଚିଥିଲେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗାମ୍ଭୀର ଓ ଟି-ଟ୍ଵଣ୍ଟି ଅଧିନାୟକ ସୂର୍ଯ୍ଯକୁମାର ଯାଦବ । ଏହାସହ ସାଥି ଖେଳାଳି ତିଳକ ବର୍ମା, ଜିତେଶ ଶର୍ମା ଓ ସପୋର୍ଟିଂ ଷ୍ଟାଫ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରି ମାଆ ମହାଲକ୍ଷ୍ମୀ, ମାଆ ବିମଳା ଓ ଅନ୍ୟାନ୍ୟ ଦେବଦେବୀଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରି କୋଚ ଏବଂ ଖେଳାଳି ବେଶ୍ ଭାବ ବିହ୍ବଳ ହୋଇ ପଡିଥିବା ନଜରକୁ ଆସିଥିଲା । ଖେଳାଳିଙ୍କ ଗସ୍ତକୁ ନଜରରେ ରଖି ପୁରୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ କୋଚ୍ ଏବଂ ଖେଳାଳିମାନଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ । ଟିମ୍ ଇଣ୍ଡିଆର ବିଜୟ କାମନା ନେଇ ମହାପ୍ରଭୁଙ୍କ ନିକଟରେ ଖେଳାଳି, କୋଚ୍ ଓ କ୍ରୀଡ଼ାପ୍ରେମୀ ମାନେ ପ୍ରାର୍ଥନା କରିଥିଲେ । ଭାରତୀୟ ଟିମ ଟି-ଟ୍ୱଣ୍ଟି ସିରିଜ ବିଜୟ ପାଇଁ ସେବାୟତମାନେ ମଧ୍ୟ ସମୂହ ଦୀପଦାନ କରିଥିଲେ । ଟିମ ଇଣ୍ଡିଆ ସଦସ୍ୟଙ୍କୁ ନିକଟରୁ ଦେଖିବାର ସୌଭାଗ୍ୟ ପାଇ ଖୁସି ପ୍ରକଟ କରିଛନ୍ତି ସେବାୟତ ଓ ଶ୍ରଦ୍ଧାଳୁ । ଜଗା ନିକଟରୁ ଆଶିଷ ନେଇ ବାରବାଟୀରେ ଟିମ ଇଣ୍ଡିଆ ଇତିହାସ ରଚିବ ବୋଲି ଆଶା କରିଛନ୍ତି କ୍ରିକେଟପ୍ରେମୀ ।

Latest Posts

Don't Miss