spot_img

Latest Posts

ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ଭାରତର ଦଳ ଘୋଷଣା; ଦିନିକିଆରେ କ୍ୟାପଟେନ ହେଲେ ରୋହିତ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୬ରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ସିରିଜ୍ ପାଇଁ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଥିବାବେଳେ ଆଜି ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଦିନିକିଆରେ ବିରାଟ କୋହଲିଙ୍କ ପରିବର୍ତ୍ତେ ଦଳର କମାଣ୍ଡ ସମ୍ଭାଳିବେ ରୋହିତ ଶର୍ମା । ବିରାଟ କୋହଲି ଟି-୨୦ ବିଶ୍ୱକପ ପରେ ଟି-୨୦ରୁ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଟି-୨୦ ଅଧିନାୟକ ପଦ ମିଳିଥିଲା । ଆଉ ଏବେ ଟି-୨୦ ସହ ଦିନିକିଆ ଦଳର ନେତୃତ୍ୱ ସମ୍ଭାଳିବେ ରୋହିତ ଶର୍ମା। ଦିନିକିଆରେ ଅଧିନାୟକ ପଦ ସହ ରୋହିତ ଶର୍ମାଙ୍କୁ ଟେଷ୍ଟ ଟିମରେ ମଧ୍ୟ ଉପ-ଅଧିନାୟକ ପଦ ମିଳିଛି ।

ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ପାଇଁ ଭାରତର ଦଳ ଘୋଷଣା ହୋଇଛି । ବିରାଟଙ୍କ ଅଧିନାୟକତ୍ୱରେ ୧୮ ଜଣିଆ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଘାତ କାରଣରୁ ରାହୁଲ ଚହର, ଶୁଭମନ ଗିଲ୍, ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଦଳରେ ଚୟନ କରାଯାଇନାହିଁ । ଯେତେବେଳେ କି ନବଦୀପ ସୈନୀ, ସୌରଭ କୁମାର, ଦିପକ ଚହର ଓ ଅର୍ଜନ ନାଗଓ୍ୱାସଲାଙ୍କୁ ଷ୍ଟାଣ୍ଡବାଏ ଭାବରେ ଦଳରେ ଚୟନ କରାଯାଇଛି ।

ଅନ୍ୟପକ୍ଷରେ କିଛି ଦିନ ଧରି ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ଟି-୨୦ ପରେ ଏବେ ରୋହିତ ଶର୍ମାଙ୍କୁ ମିଳିଛି ଦିନିକିଆରେ ଅଧିନାୟକତ୍ୱ । ଯାହା ଫଳରେ ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଅଧିନାୟକତ୍ୱ କରିବେ ରୋହିତ ଶର୍ମା । ରୋହିତ ଶର୍ମା ଦିନିକିଆରେ ଅଧିନାୟକ ହେବା ପରେ ଏବେ ବିରାଟ କୋହଲିଙ୍କ ପାଖରେ କେବଳ ଟେଷ୍ଟର ଅଧିନାୟକତ୍ୱ ପଦ ରହିବ ।

ଘୋଷଣା ହୋଇଥିବା ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କେ ରାହାଣେ, ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ରିଦ୍ଧିମାନ ଶାହା, ଆର ଅଶ୍ୱିନୀ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଜଶପ୍ରୀତ ବୁମ୍ରା, ଶାର୍ଦ୍ଦୁଳ ଠାକୁର ଏବଂ ମହମ୍ମଦ ସିରାଜ ।

Latest Posts

Don't Miss