ଏସିଆ କପରେ ଶ୍ରୀଲଙ୍କା-ଭାରତ ମ୍ୟାଚ୍: ୧୭୩ ରନ୍ ସଂଗ୍ରହ କଲା ଭାରତୀୟ ଦଳ

ଦୁବାଇ: କର ବା ମର ସ୍ଥିତିରେ ଭାରତୀୟ କ୍ରିକେଟ ଟିମ୍ । ଏସିଆ କପରେ ଆଜି ଶ୍ରୀଲଙ୍କା ଭାରତ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ ଚାଲିଛି । ପ୍ରଥମେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହିପରି ଭାରତକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ୧୭୩ ରନ୍ ସଂଗ୍ରହ କରିଛି । ଏବେ ଶ୍ରୀଲଙ୍କା ଆଗରେ ୧୭୪ ରନର ବିଜୟ ଲକ୍ଷ୍ୟ ରହିଛି ।

ଆଜିର ମ୍ୟାଚରେ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କେଏଲ ରାହୁଲ ଏବଂ ରୋହିତ ଶର୍ମା କ୍ରୀଜକୁ ଓହ୍ଲାଇଥିଲେ । ହେଲେ ଭାରତ ଆରମ୍ଭରୁ ବିପର୍ଯ୍ୟର ସାମ୍ନା କରିଥିଲା । ମାତ୍ର ୬ ରନ୍ କରି ରାହୁଲ ପାଭେଲିଅନ ଫେରିଯାଇଥିଲେ । ତାଙ୍କ ସ୍ଥାନରେ କୋହଲି ଆସିଥିଲେ । ହେଲେ ସେ ମଧ୍ୟ ୪ଟି ବଲ୍ ଖେଳି କିଛି ରନ୍ ନକରିପାରି ଆଉଟ୍ ହୋଇଯାଇଥିଲେ । ବିରାଟଙ୍କ ଆଉଟ୍ ପରେ ସମସ୍ତେ ଆଶା ଛାଡି ଦେଇଥିଲେ । କିନ୍ତୁ ଅଧିନାୟକ ରୋହିତ ଶର୍ମା ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ ।

ସୂର୍ଯ୍ୟକୁମାର ଯାଦବ ମଧ୍ୟ ତାଙ୍କୁ ସାଥ୍ ଦେଇଥିଲେ । ରୋହିତ ୪୧ ବଲ୍ ଖେଳି ୭୨ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ସୂର୍ଯ୍ୟକୁମାର ୨୯ ବଲ୍ ଖେଳି ୩୪ ରନ୍ କରିଛନ୍ତି । ଏହି ଦୁଇଜଣ ଆଉଟ୍ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଶ୍ରୀଲଙ୍କା ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ୧୭ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ । ଶେଷ ସମୟରେ ଅଶ୍ନିନୀ ୭ ଟି ବଲ୍ ଖେଳି ୧୫ ରନ୍ କରି କ୍ରୀଜରେ ଦଣ୍ଡାୟମାନ ଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା ସଫଳ ବୋଲର ରହିଛନ୍ତି ।

୪ ଓଭରରେ ୨୪ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ସି କରୁଣାରତ୍ନେ ଏବଂ ଶନକା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏମ ଥିକଶାନା ମଧ୍ୟ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଏବେ ଶ୍ରୀଲଙ୍କା ପକ୍ଷରୁ ପଥୁମ ନଷାଙ୍କ ଏବଂ କୁସାଲ ମେଣ୍ଡିସ୍ ବ୍ୟାଟିଂ ପାଇଁ କ୍ରୀଜକୁ ଓହ୍ଲାଇଛନ୍ତି । ଆଜିର ମ୍ୟାଚ ଭାରତୀୟ ଦଳ ଯେମିତି ହେଲେ ଜିତିବା ପାଇଁ ପ୍ରୟାସ କରିବ । କାରଣ ଆଜିର ମ୍ୟାଚ୍ ହାରିଲେ ଦଳ ଫାଇନାଲ୍ ରେସରୁ ବାଦ୍ ପଡ଼ିବ । ସେହିପରି ଶ୍ରୀଲଙ୍କା ମଧ୍ୟ ନିଜ ସ୍ଥିତି ସୁଦୃଢ କରିବା ପାଇଁ ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରୟାସ କରିବ ।