କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ନେଇ କ’ଣ ରହିଛି ଭାରତ ସରକାରଙ୍କ ପ୍ରତିକ୍ରିୟା..?

1 min read

ନୂଆଦିଲ୍ଲୀ: କାବୁଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତ ଦୃଢ଼ ସମାଲୋଚନା କରିଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିରୀହ ଲୋକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କୌଣସି କ୍ଷେତ୍ରରେ ଯଥାର୍ଥ ହୋଇପାରିବ ନାହିଁ । ମେ ୧୧-୧୨ରେ, କାବୁଲର ଦାଶ୍ତ-ଏ-ବର୍ଚି ହସ୍ପିଟାଲର ମାର୍ଟନିଟି ୱାର୍ଡ, ନାଙ୍ଗରହାରର ଚାଲିଥିବା ଶୋକ ସଭା ଏବଂ ଲାଘମାନର ସେନା ଚେକ୍ ପୋଷ୍ଟରେ ହୋଇଥିବା ଆକ୍ରମଣରେ ଅନେକ ମହିଳା ଓ ଶିଶୁଙ୍କର ମୃତ୍ୟୁ ଘଟିଛି । ଯାହା କେବେ ବି ଗ୍ରହଣୀୟ ନୁହେଁ । ଏହା ଅତ୍ୟନ୍ତ ନିନ୍ଦନୀୟ । ଏହି ଆକ୍ରମଣ ମାନବିକତା ବିରୁଦ୍ଧରେ ଅପରାଧ ଅଟେ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାସହ ଭାରତ ସରକାର ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଆହତ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

କଣ ଥିଲା ଘଟଣା ?

ମଙ୍ଗଳବାର ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଦୁଇ ଜଣ ନବଜାତ ଶିଶୁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମହିଳା ଏବଂ କିଛି ନର୍ସଙ୍କ ସମେତ ଏବେ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ଘଟିଛି ।

ଆତଙ୍କବାଦୀଙ୍କୁ ରୋକିବା ପାଇଁ ସ୍ଥାନୀୟ ପୋଲିସ ଗୁଳି ଚଳାଇଥିଲା କିନ୍ତୁ କୌଣସି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇନଥିଲା । ଗୁଳି ବିନିମୟରେ ସମୟରେ ଆଫଗାନିସ୍ତାନ ସୁରକ୍ଷା ବଳ ରୋଗୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ବାହାର କରୁଥିବା ଦେଖାଯାଇଥିଲା । ବହୁ ସଂଘର୍ଷ ପରେ ଶିଶୁ ଏବଂ ମହିଳାଙ୍କୁ ମେଡିକାଲରୁ ଉଦ୍ଧାର କରାଯାଇଛି ।

କାବୁଲ ବ୍ୟତୀତ ଆଫଗାନିସ୍ତାନର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ହିଂସାକାଣ୍ଡ ଘଟିଛି । ମଙ୍ଗଳବାର ନଙ୍ଗରହର ପ୍ରଦେଶରେ ଏକ ଶୋକ ସଭାରେ ବିସ୍ଫୋରଣକାରୀ ନିଜ ଆତ୍ମଘାତୀ ବିସ୍ଫୋରଣ କରିଥିଲା । ଏହି ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି କ୍ଷେତ୍ର ଇସଲାମିକ୍ ଷ୍ଟେଟ୍‌ର ଗଡ଼ ବୋଲି ବିବେଚନା କରାଯାଏ । ଅନ୍ୟପକ୍ଷରେ ଖୋଷ୍ଟ ଅଞ୍ଚଳରେ ଏକ ବୋମା ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି  ।

ତେବେ ନାଙ୍ଗରହାରରେ ହୋଇଥିବା ଆକ୍ରମଣରେ ତାଲିବାନର କୌଣସି ଭୂମିକା ନଥିବା ସେ ନିଜେ କହିଛି । ତାଲିବାନ୍ ଏକ ଟୁଇଟ୍ ଜରିଆରେ କହିଛି ଯେ, ନାଙ୍ଗରହାରର ଖେୱା ଜିଲ୍ଲା ଶୋକ ସଭାରେ ହୋଇଥିବା ଆକ୍ରମଣରେ ଇସଲାମିକ୍ ଏମିରେଟ୍‌ସର କୌଣସି ଭୂମିକା ନାହିଁ । ଏହି ଆକ୍ରମଣକୁ ଇସଲାମିକ୍ ଏମିରେଟ୍‌ସ ଦୃଢ଼ ନିନ୍ଦା କରୁଛି ।

Leave a Reply