୭୪ତମ ସାଧାରଣତନ୍ତ୍ର ଦିବସରେ ଦମ୍ ଦେଖାଇଲା ଭାରତ

1 min read

ନୂଆଦିଲ୍ଲୀ : କର୍ତ୍ତବ୍ୟ ପଥରେ ଗର୍ବର ମୁହୂର୍ତ୍ତ । ୭୪ତମ ସାଧାରଣତନ୍ତ୍ର ଦିବସରେ ଦମ୍ ଦେଖାଇଲା ଭାରତ । ବିଶ୍ବ ଆଗରେ ଭାରତର ଶକ୍ତି ପ୍ରଦର୍ଶନ । ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଆୟୋଜିତ ହୋଇଛି ଜାତୀୟ ଉତ୍ସବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ପରେଡ । ଏଥିରେ ସମସ୍ତ ବାହିନୀର ଯବାନ ସାମିଲ ହୋଇଥିବାବେଳେ ପ୍ରଦର୍ଶିତ ହୋଇଥିଲା ପ୍ରମୁଖ ଯୁଦ୍ଧାସ୍ତ୍ର । ତନ୍ମଧ୍ୟରେ ରହିଛି ମେନ୍ ବ୍ୟାଟଲ ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ର ।

ପ୍ରଥମ ଥର ଲାଗି ଇଜିପ୍ଟି ସାମରିକ ବିଭାଗର ୧୪୪ ଯବାନ ପରେଡରେ ସାମିଲ ହୋଇଥିଲେ । ରାଜପଥକୁ କର୍ତ୍ତବ୍ୟ ପଥ ନାମରେ ପୁନଃନାମିତ କରାଯିବା ପରେ ଏହା ହେଉଛି ପ୍ରଥମ ପରେଡ । ଚଳିତ ବର୍ଷ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଏଲ-ସିସି ଯୋଗଦେଇଥିଲେ ।

ପରେଡରେ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ସ୍ଥାନିତ ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥର ଲାଗି ସିଆରପିଏଫର ମହିଳା କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଛନ୍ତି । ନାଭାଲ କଣ୍ଟିଜେଣ୍ଟରେ ଜଣେ ମହିଳା ଅଫିସର ନେତୃତ୍ବ ନେଇଥିବାବେଳେ ସେଥିରେ ସ୍ଥାନ ପାଇଛନ୍ତି ୩ ମହିଳା ଓ ୬ ଅଗ୍ନିବୀର । ପରେଡରେ ଆକାଶ ମିସାଇଲ, ଅର୍ଜୁନ ଟ୍ୟାଙ୍କ ପ୍ରମୁଖ ସ୍ଥାନ ପାଇଛି ।

ସୁରକ୍ଷା ଲାଗି ରାଜଧାନୀରେ ଅର୍ଦ୍ଧସାମରିକ ବାହିନୀ, ଏନଏସଜିର ପ୍ରାୟ ୬ ହଜାର ଯବାନଙ୍କୁ ମୁତୟନ ରାଯାଇଥିଲା । ଚଳିତବର୍ଷ ପ୍ରଥମ ଥର ଲାଗି ନାର୍କୋଟିକ୍ ବ୍ୟୁରୋର କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଥିଲା ।ପରେଡ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।