ସିନ୍ଧୁ ଜଳ ଚୁକ୍ତିରେ ବ୍ୟାପକ ଉଲ୍ଲଂଘନ, ୧୯୬୦ର ବୁଝାମଣାକୁ ମାନୁନି ପାକିସ୍ତାନ

ନୂଆଦିଲ୍ଲୀ: ୧୯୬୦ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନକୁ ନେଇ ପାକକୁ ନୋଟିସ । ପାକିସ୍ତାନକୁ ନୋଟିସ ଜାରି କରିଛି ଭାରତ । ପାକିସ୍ତାନର ବହୁ କାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କରୁଥିବାରୁ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି । ଭାରତର କିଶେଙ୍ଗାଙ୍ଗା ଓ ରାଟଲେ ହାଇଡ୍ରୋ ଇଲେକଟ୍ରିକ ପ୍ରକଳ୍ପକୁ ନେଇ ଆଲୋଚନା ଓ ବିବାଦର ସମାଧାନ ଲାଗି ଭାରତ ବାରମ୍ବାର ଉଦ୍ୟମ କରିଥିଲେ ବି ପାକିସ୍ତାନ ଆଲୋଚନା ପାଇଁ ରାଜି ହୋଇ ନଥିଲା । ତେବେ ନିକଟରେ ବିଶେଷଜ୍ଞ ଓ ମଧ୍ୟସ୍ଥତା ନ୍ୟାୟାଳୟ ପ୍ରକ୍ରିୟା ଉପରେ ବିଶ୍ବବ୍ୟାଙ୍କ କାର୍ଯ୍ୟନୁଷ୍ଠାନ ନେବା ଆରମ୍ଭ କରିଛି ।

ସିନ୍ଧୁ ଜଳ ସନ୍ଧିର ଉଲ୍ଲଂଘନର ସାମ୍ନା କରୁଥିବାରୁ ଭାରତ ପାକିସ୍ତାନକୁ ନୋଟିସ ଜାରି କରିଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ଭାରତର କିଶେଙ୍ଗାଙ୍ଗା ଓ ରାଟଲେ ହାଇଡ୍ରୋ ଇଲେକଟ୍ରିକ ପ୍ରକଳ୍ପକୁ ନେଇ ଆପତ୍ତି ଉଠାଇଥିଲା ପାକିସ୍ତାନ । ପ୍ରକଳ୍ପର ତଦନ୍ତ ପାଇଁ ତଟସ୍ଥ ବିଶେଷଜ୍ଞଙ୍କ ନିଯୁକ୍ତି ପାଇଁ ଅନୁରୋଧ କରିଥିଲା । ମାତ୍ର ୨୦୧୬ରେ ପାକିସ୍ତାନ ଏଥିରୁ ଓହରି ଯାଇଥିଲା । ପାକିସ୍ତାନର ଏହି କାର୍ଯ୍ୟକଳାପ ସିନ୍ଧୁ ଜଳ ସନ୍ଧି ପ୍ରବଧାନକୁ ଉଲ୍ଲଂଘନ କରୁଛି । ଆସନ୍ତା ୯୦ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ ଭାରତ ନୋଟିସରେ ଉଲ୍ଲେଖ କରିଛି ।