ଅପରେସନ ଦୋସ୍ତ: ରିଲିଫ୍ ସାମଗ୍ରୀ ନେଇ ଉଡ଼ିଲା ଭାରତର ୭ମ ପ୍ଲେନ୍

ନୂଆଦିଲ୍ଲୀ: ଭୂକମ୍ପ ପରେ ଦିନ ଗଡ଼ିବା ସହ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବିରାଟ ବିରାଟ ବିଲ୍ଡିଂରୁ ଯେତିକି ଯେତିକି ଧ୍ବଂସାବଶେଷ ସଫା କରାଯାଉଛି, ସେମିତି ସେମିତି ଛାତିଥରା ଦୃଶ୍ୟ ପଦାକୁ ଆସୁଛି । କେବଳ ଭୂକମ୍ପ ନୁହେଁ, ତୁର୍କୀ ଓ ସିରିଆରେ ପ୍ରକୃତି ବି ଦାଉ ସାଧିଛି । ଉଭୟ ଦେଶର ଲୋକଙ୍କ ପାଖରେ ନା ଅଛି ଖାଇବାକୁ କିଛି, ନା ଅଛି ପିନ୍ଧିବାକୁ କିଛି । ଘର ଉପର ଛପର ଭୁଶୁଡ଼ି ପଡ଼ିଥିବାରୁ ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ ଲୋକଙ୍କୁ ମାଇନସ୍ ଟେମ୍ପରେଚରରେ ଦିନ କାଟିବାକୁ ପଡୁଛି । ଏମିତି ସ୍ଥିତିରେ ବିଭିନ୍ନ ଦେଶ ତରଫରୁ ଉଦ୍ଧାର କାର୍ଯ୍ୟ ସହ ରିଲିଫ ପ୍ରଦାନ ଜୋରସୋରରେ ଚାଲିଛି । ଆଉ ଏହି କ୍ରମରେ ଭାରତ ରହିଛି ସମସ୍ତଙ୍କଠାରୁ ଆଗରେ । ଅପରେସନ ଦୋସ୍ତ ଜରିଆରେ ଭାରତର ୭ମ ପ୍ଲେନ ରିଲିଫ ସାମଗ୍ରୀ ନେଇ ତୁର୍କୀ ଓ ସିରିଆ ଅଭିମୁଖେ ଯାଇସାରିଛି ।

ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରପୋର୍ଟରୁ ଭାରତର ଗ୍ଲୋବମାଷ୍ଟର ୩୫ ଟନରୁ ଅଧିକ ରିଲିଫ ସାମଗ୍ରୀ ନେଇ ଉଡ଼ିଛି । ଏନେଇ ନିଜେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଦେଇଛନ୍ତି ।

ବିମାନଟି ଉଭୟ ତୁର୍କୀ ଓ ସିରିଆକୁ ଯାଇ ରିଲିଫ ସାମଗ୍ରୀ ପହଞ୍ଚାଇବ । ୩୫ ଟନରୁ ଅଧିକ ରିଲିଫ ସାମଗ୍ରୀ ନେଇ ଯାଇଥିବା ଗ୍ଲୋବମାଷ୍ଟର ପ୍ରଥମେ ସିରିଆ ରାଜଧାନୀ ଦମିସ୍କରେ ପହଞ୍ଚିବ । ସେଠାରେ ୨୩ ଟନରୁ ଅଧିକ ରିଲିଫ୍ ସାମଗ୍ରୀ ଓହ୍ଲାଇବା ପରେ ତୁର୍କୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ତୁର୍କୀରେ ବାକି ୧୨ ଟନରୁ ଅଧିକ ରିଲିଫ ସାମଗ୍ରୀ ଓହ୍ଲାଇବ ।

ସିରିଆକୁ ଯାଇଥିବା ରିଲିଫ ସାମଗ୍ରୀରେ ସ୍ଲିପିଂ ମେଟ (ଶୋଇବା ସାମଗ୍ରୀ), ଜେନେରେଟର ସେଟ୍, ସୋଲାର ଲ୍ୟାମ୍ପ, ଜରି ପାଲ, କମ୍ବଳ, ଔଷଧ ଓ ଖାଦ୍ୟ ସାମଗ୍ରୀ ରହିଛି ।

ସେହିପରି ତୁର୍କୀକୁ ଯାଇଥିବା ରିଲିଫ ସାମଗ୍ରୀରେ ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲ, ଏନଡିଆରଏଫ ପାଇଁ ଆବଶ୍ୟକ ସାମଗ୍ରୀ, ଇସିଜି, ମନିଟର, ଆନେଥେସିଆ ମେସିନ, ସିରିଜ ଓ ଗ୍ଲୁକୋମିଟର ପରି ଚିକିତ୍ସା ଉପକରଣ ରହିଛି । ଏହାସହ କମ୍ବଳ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ମଧ୍ୟ ଏଥିରେ ରହିଛି ।