ଟ୍ରମ୍ପଙ୍କ ବଡ଼ ବୟାନ: ଲାଗୁଛି ଚୀନ ହାତରେ ଆମେ ଭାରତ ଓ ଋଷକୁ ହରାଇ ଦେଲେ

1 min read

ନନ୍ଦିଘୋଷ ବ୍ୟୁରୋ: ସାର ବିଶ୍ବରେ ଟାରିଫ ଓ୍ବାର ଲଗାଇବା ପରେ ଏବେ ଆମେରିକା ରାଷ୍ଟ୍ରପତି ଭୟଭିତ ହୋଇ ଯାଇଛନ୍ତି । SCO ସମ୍ମିଳନୀରୁ ଯେମିତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକାଠି ଦେଖିବା ପରେ ଟ୍ରମ୍ପଙ୍କ ନିଦ ହଜି ଯାଇଛି । ସ୍ଥିତି ଏମିତି ଯେ, ଆମେରିକାକୁ ପୁଣି ଥରେ ଗ୍ରେଟ୍ କରିବା ଚକ୍କରରେ ଭାରତ ପରି ସହଯୋଗୀଙ୍କୁ ହାତ ଛଡ଼ା କରି ଦେଇଛି । ଏ କଥା ସାରା ବିଶ୍ବର ଅର୍ଥନିତିଜ୍ଞଙ୍କ ସମେତ ଆମେରିକାରୁ ବି ଶୁଣିବାକୁ ମିଳୁଛି । ଆଉ ବିଳମ୍ବ ହେଲେ ବି ଏହି ସତକୁ ନିଜେ ଟ୍ରମ୍ପ ସ୍ବୀକାର କରିଛନ୍ତି । ଯାହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି ।

ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ରୁଥରେ ଟ୍ରମ୍ପ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଆମେ ଭାରତ ଓ ଋଷକୁ ଖତରନାକ ଚୀନ ହାତରେ ହରାଇ ଦେଲେ । ଏଥିରେ ସେ ଜିନପିଙ୍ଗ, ପୁଟିନ ଓ ମୋଦିଙ୍କ SCO ବୈଠକ ବେଳର ଫଟୋ ସେୟାର କରିଛନ୍ତି । ଏହାସହ ଲେଖିଛନ୍ତି, ଆଶା କରୁଛି ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ଓ ସମୃଦ୍ଧ ହେବ ।

ସୂଚନାଯୋଗ୍ୟ, ଚୀନର ତିଆନଜିନରେ ହୋଇଥିବା ଏସସିଓ ସମ୍ମିଳନୀରେ ପୁଟିନ, ମୋଦି ଓ ଜିନପିଙ୍ଗଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ତିନି ନେତାଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଦୁନିଆକୁ ଏ ସଙ୍କେତ ଦେଇଥିଲା ଯେ ଟ୍ରମ୍ପଙ୍କ ଟାରିଫ ଓ୍ବାର ମଧ୍ୟରେ ଏକ ନୂଆ ଓ୍ବାଲ୍ଡ ଅର୍ଡର ଆକାର ନେଉଛି । ତେବେ ଏନେଇ ଭାରତର ବୈଦେଶିକ ମନ୍ତ୍ରାଳୟର ପ୍ରେସ ବ୍ରିଫିଙ୍ଗରେ ଟ୍ରମ୍ପଙ୍କ ବୟାନକୁ ନେଇ ପ୍ରଶ୍ନ କରାଯାଇଥିବା ବେଳେ ମନ୍ତ୍ରାଳୟ ପ୍ରବକ୍ତା ରଣଧିର ଜୟଶଓ୍ବାଲ କିଛି କହିବାକୁ ମନା କରିଦେଇଥିଲେ ।

ସୂଚନାଯୋଗ୍ୟ, ଗତମାସ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଭାରତ ଓ ଆମେରିକା ସମ୍ପର୍କରେ ତିକ୍ତତା ଆସିଛି । ସେହିପରି ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତ ଟାରିଫ ଲଗାଇଛନ୍ତି । ହେଲେ ଏହାକୁ ୯୦ ଦିନ ପାଇଁ ସ୍ଥଗିତ ରଖାଯାଇଛି ।