spot_img

Latest Posts

ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ

ଡଲାର ତୁଳନାରେ ଭାରତୀୟ ଟଙ୍କା ତଳିତଳାନ୍ତ। ଆଜି ଲକ୍ଷ୍ମୀଙ୍କ ବାରରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ। ଗୋଟିଏ ଡଲାରର ମୂଲ୍ୟ ହୋଇଛି ୯୦ ଟଙ୍କା ୫୨ ପଇସା। ଗୋଟିଏ ପଟେ ଆମେରିକା ସହ ଭାରତ ଟାରିଫ ଚୁକ୍ତିନାମା ନେଇ ଆମେରିକାର କୂଟନୈତିକ ଅଧିକାରୀମାନେ ଦିଲ୍ଲୀରେ ଆଲୋଚନା ଲାଗି ପହଞ୍ଚିଥିବା ବେଳେ ଟଙ୍କା ମୂଲ୍ୟ ହ୍ରାସ ଭାରତୀୟ ଆମଦାନୀ ବଜାରକୁ ପ୍ରଭାବିତ କରିଛି। ତୈଳ ଓ ସୁନା ଆମଦାନୀ ଉପରେ ଭାରତ ସରକାରଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।  ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଦିନକୁ ଦିନ ହ୍ରାସ ହେଉଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ଚାପ ବଢିବାକୁ ଲାଗିଛି। କେବଳ ୨୦୨୫ରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୫ ପ୍ରତିଶତ ହ୍ରାସ ପାଇଲାଣି। କେବଳ ଟଙ୍କା ନୁହେଁ ତୁର୍କୀର ଲିରା ଓ ଆର୍ଜେଣ୍ଟିନାର ପେସୋର ବି ଘାଟା ଘଟିଛି। ଏହି ଦୁଇ ରାଷ୍ଟ୍ରରେ ମୁଦ୍ରାର ମୂଲ୍ଯ ୭ ପ୍ରତିଶତ ହ୍ରାସ ପାଇଛି। ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଆମେରିକୀୟ ଟାରିଫ ଏହି ଘାଟାର ପ୍ରମୁଖ କାରଣ ହୋଇଥିବା କୁହାଯାଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ଭାରତର ସକରାତ୍ମକ କଥାବାର୍ତ୍ତାର ଅଭାବର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡିଥିବା ସୂଚନା ମିଳିଛି। ୨୦୧୧ରେ ଡଲାର ଅନୁପାତରେ ଭାରତୀୟ ମୁଦ୍ରାର ମୂଲ୍ୟ ୫୦ ପ୍ରତିଶତ ବଢିଛି। ଡଲାର ଓ ଭାରତୀୟ ମୁଦ୍ରା ମଧ୍ୟରେ ସମନ୍ବୟ ରକ୍ଷା କରିବା ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଓ ଆରବିଆଇ ଅଧିକାରୀମାନେ ଆଲୋଚନା କରୁଥିବା ସୂଚନା ମିଳିଛି। ଉଭୟ ଆଭ୍ୟନ୍ତରୀଣ ଓ ଅନ୍ତର୍ଜାତୀୟ ବଜାରରେ ଆରବିଆଇର ହସ୍ତକ୍ଷେପ ପରେ ହିଁ ମୁଦ୍ରା ମୂଲ୍ଯ ସ୍ଥିତିରେ ସୁଧାର ଆସିବା କୁହାଯାଉଛି। ମୁଦ୍ରା ମୂଲ୍ୟରେ ସ୍ଥିରତା ଆଣିବା ଲାଗି ସିଙ୍ଗାପୁର, ଦୁବାଇ ଓ ଲଣ୍ଡନରେ କାର୍ଯ୍ୟରତ ବିଭିନ୍ନ ପ୍ରମୁଖ ବ୍ୟାଙ୍କ ସହ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟ ଜରିଆରେ ଆରବିଆଇ ହସ୍ତକ୍ଷେପ କରୁଥିବା ଜଣାଯାଇଛି। ସେପଟେ ଦିଲ୍ଲୀ ବାଣିଜ୍ୟଭବନସ୍ଥିତ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟରେ ପହଞ୍ଚିଛନ୍ତି ଆମେରିକାର ବାଣିଜ୍ୟ ପ୍ରତିନିଧି। ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଲାଗି ଆମେରିକାର ବାଣିଜ୍ୟ ସଂକ୍ରାନ୍ତ ଡେପୁଟୀ ଆମ୍ବାସାଡର ରିକ ସୁଇଜର ଭାରତ ଆସିଛନ୍ତି।

Latest Posts

Don't Miss