ଦେଶରେ ୨୪ ଘଣ୍ଟାରେ ୪୫,୨୩୦ ନୂଆ ସଂକ୍ରମିତ, ଆଉ ୪୯୬ ଜୀବନ ଗଲା

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୪୫ ହଜାର ୨୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା  ୮୨ ଲକ୍ଷ ୨୯ ହଜାର ୩୧୩ ଥିବାବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୨୨ ହଜାର ୬୦୭ରେ ପହଞ୍ଚଛି  । ଦେଶରେ କରୋନା ଆକ୍ଟିଭ କେସ୍ ୫ଲକ୍ଷ ୬୧ହଜାର ୯୦୮ ଥିବା ବେଳେ ୭୫ଲକ୍ଷ ୪୪ହଜାର ୭୯୮ଜଣ ସୁସ୍ଥ ହେଲେଣି ।

ଦୈନିକ ସଂକ୍ରମଣରେ କେରଳ ଓ ଦିଲ୍ଲୀ ଆଗରେ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ୧୬ ଲକ୍ଷ ୮୩ ହଜାର ୭୭୫ ଥିବା ବେଳେ ମୃତ୍ୟୁସଂଖ୍ୟା ୪୪,୦୨୪ ରହିଛି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ୮ ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ୭ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ୧୧,୧୫୨ ରହିଛି ।

ଗତ ପାଞ୍ଚ ଦିନ ମଧ୍ୟରେ ଦିଲ୍ଲୀରେ କରୋନା ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଛି । ଅନ୍ୟପଟେ ମହାରାଷ୍ଟ୍ର, କେରଳର ମଧ୍ୟ ସମାନ ପରିସ୍ଥିତି ରହିଛି। ମୁମ୍ବାଇରେ ସ୍ଥାନୀୟ ଟ୍ରେନ୍ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ଏବଂ ଲୋକମାନେ ବାହାରକୁ ଯିବା ଜାରି ରଖିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶାସନ ଏଥିପାଇଁ ଅନେକ ପ୍ରସ୍ତୁତି ଚଳାଇଛି।

Leave a Reply