କରୋନାର ନୂଆ ଭ୍ୟାରିଏଣ୍ଟକୁ ନେଇ ଚିନ୍ତାରେ ଭାରତ, ପୂର୍ବ ଭ୍ୟାରିଏଣ୍ଟ ଅପେକ୍ଷା ୧୨୦ ଗୁଣା ଅଧିକ ସଂକ୍ରାମକ

1 min read

ୱାଶିଂଟନ: ବିଶ୍ବରେ କରୋନା ଗ୍ରାଫ ଉପରମୁହାଁ । ଆମେରିକାରେ କରୋନାର ନୂଆ ଭ୍ୟାରିଏଣ୍ଟ ଚିହ୍ନଟ । ଯାହାର ନାମ XXB.1.5 ବୋଲି ସୂଚନା ମିଳିଛି । ଅନ୍ୟ ସମସ୍ତ ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ବିପଦଜନକ ବୋଲି ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞ ଏରିକ୍ ଫେଗଲ୍ ଡିଙ୍ଗ୍ ସୂଚନା ଦେଇଛନ୍ତି । ଡିଙ୍ଗ କହିଛନ୍ତି ଯେ, ପୂର୍ବରୁ ଥିବା BQ.1 ଭ୍ୟାରିଏଣ୍ଟ ଅପେକ୍ଷା ଏହା ସଂକ୍ରମଣକୁ ୧୨୦ ଗୁଣା ଦୃତ ଗତିରେ ବୃଦ୍ଧି କରିଥାଏ। କରୋନାର XXB.1.5 ହେଉଛି ସୁପର ଭ୍ୟାରିଏଣ୍ଟ।  ଚିନ୍ତାର ବିଷୟ ହେଉଛି ଭାରତରେ ଏହି ଭ୍ୟାରିଏଣ୍ଟର ପ୍ରବେଶ ହୋଇଛି । ଗୁଜୁରାଟରେ XXB.1.5 ଭ୍ୟାରିଏଣ୍ଟରେ ସଂକ୍ରମିତ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

XXB.1.5 ସଂକ୍ରମଣ ଯୋଗୁଁ କ୍ରମାଗତ ଭାବରେ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଡିଙ୍ଗ୍ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ବୈଜ୍ଞାନିକ ନ୍ୟୁୟର୍କରେ ବ୍ୟାପିଥିବା ଏହି ସଂକ୍ରମଣର ମଡେଲକୁ ନେଇ ରିସର୍ଚ୍ଚ କରୁଛନ୍ତି। ଏହି ଭ୍ୟାରିଏଣ୍ଟ ସମସ୍ତ ପ୍ରକାର ଭ୍ୟାରିଏଣ୍ଟ ଠାରୁ ଅଧିକ ଶକ୍ତିଶାଳୀ ହୋଇଥିବା ଯୋଗୁଁ ମଣିଷ ଶରୀରେ ପ୍ରବେଶ କରି ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିଦେବ ।

ଆମେରିକାର ଅନେକ ସହରରେ XXB.1.5 ଭ୍ୟାରିଏଣ୍ଟ ସଂକ୍ରମିତ ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଆମେରିକା ସମେତ ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ବେଡ୍ ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ,  ନ୍ୟୁୟର୍କରେ ଅକ୍ଟୋବର ମାସରେ କରୋନାର ଏହି ଶକ୍ତିଶାଳୀ ଭ୍ୟାରିଏଣ୍ଟ ବ୍ୟାପିବା ଆରମ୍ଭ ହୋଇଥିଲା ।

ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ନୂତନ ସଂକ୍ରମଣ ବଢୁଥିବା ଯୋଗୁଁ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏହାର କାରଣ ହେଉଛି ଯେ, ଏହି ନୂତନ ଭ୍ୟାରିଏଣ୍ଟ ଓମିକ୍ରନ ପରି ନୁହେଁ  ଏହା ଘାତକ କରୋନା ଭ୍ୟାରିଏଣ୍ଟ। ଯାହା ଦୁଇଟି ଭ୍ୟାରିଏଣ୍ଟକୁ ନେଇ ଗଠିତ ଏବଂ ଏହା ପୂର୍ବରୁ ପରିବର୍ତ୍ତନ ହୋଇସାରିଛି ।