ସୋସିଆଲ ମିଡିଆକୁ ପ୍ରଭାବିତ କରୁଥିବା ସଂସ୍ଥା ହୁଅନ୍ତୁ ସାବଧାନ

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆକୁ ପ୍ରଭାବିତ କରୁଥିବା ସଂସ୍ଥା ହୁଅନ୍ତୁ ସାବଧାନ । ଉପହାର, ହୋଟେଲ ରହଣୀ, ଇକ୍ୟୁଟି, ଡିସକାଉଣ୍ଟ, ପୁରସ୍କାର ଆଦି ସମସ୍ତ ପ୍ରକାର ସେବା, ସାମଗ୍ରୀ ଓ ସ୍କିମ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ନିର୍ଦ୍ଦେଶର ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ନିଷେଧାଦେଶ ମଧ୍ୟ ଜାରି କରାଯାଇପାରେ ବୋଲି କୁହାଯାଇଛି । ସମସ୍ତ ତଥ୍ୟ ଯେପରି ସାଧାରଣ ଭାବେ ହୃଦବୋଧ ହୋଇପାରିବ ସେଥିଲାଗି ସରଳ ଭାଷାରେ ଉଲ୍ଲେଖ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଦେଶରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାର୍କେଟ ପ୍ରତିବର୍ଷ ୨୦ ପ୍ରତିଶତ ବଢୁଥିବାବେଳେ ୨୦୨୫ ସୁଦ୍ଧା ଏହାର ବଜାର ପରିମାଣ ୨ ହଜାର ୮୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ଗାଇଡଲାଇନ ଜାରି କରାଯାଇଛି । ଯଦି ଏହାକୁ କେହି ଉଲ୍ଲଂଘନ କରନ୍ତି ତେବେ ଖାଉଟି ସୁରକ୍ଷା ଆଇନ ୨୦୧୯ ଅନୁସାରେ ଜରିମାନା ଧାର୍ଯ୍ୟ କରାଯିବ ବୋଲି କୁହାଯାଇଛି ।

ଏକ୍ଷେତ୍ରରେ ପ୍ରସ୍ତୁତକର୍ତ୍ତା, ବିଜ୍ଞାପନଦାତା ଓ ସମର୍ଥନକର୍ତ୍ତାଙ୍କ ବିରୋଧରେ ୧୦ ଲକ୍ଷ ଲେଖାଏଁ ଜରିମାନା କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷା ବି ସିସିପିଏ ପକ୍ଷରୁ ଧାର୍ଯ୍ୟ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଜରିମାନା ପରିମାଣ ୫୦ ଲକ୍ଷ ଟଙ୍କା ଲାଗୁ କରାଯିବ ବୋଲି କୁହାଯାଇଛି ।