ଗିଲ୍‌ଗିଟ୍-ବାଲତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ପାକିସ୍ତାନ ବେଆଇନ୍‌ ଭାବେ ଜବରଦଖଲ କରିଛି: ଭାରତ

1 min read
Anurag Srivastava

ନୂଆଦିଲ୍ଲୀ: ଗିଲ୍‌ଗିଟ୍‌-ବଲ୍‌ତିସ୍ତାନକୁ ଅସ୍ଥାୟୀ ପ୍ରାଦେଶିକ ମାନ୍ୟତା ଦେବା ପାଇଁ ପାକିସ୍ତାନର ଇମ୍ରାନ୍ ସରକାର ଘୋଷଣା କରିବା ପରେ ଭାରତ ପକ୍ଷରୁ ଏହାକୁ ବେଆଇନ୍‌‌ ବୋଲି ଦର୍ଶାଯାଇଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଗିଲ୍‌ଗିଟ୍‌-ବଲ୍‌ତିସ୍ତାନ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ପାକିସ୍ତାନ ବେଆଇନ୍‌ ଭାବେ ବଳପୂର୍ବକ ଏହି ଅଞ୍ଚଳକୁ ଦଖଲ କରି ରଖିଛି । ତେଣୁ ଏହି କ୍ରମରେ ସେ ଏହାକୁ ଅସ୍ଥାୟୀ ପ୍ରଦେଶ ଘୋଷଣା କରିବା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ୍‌ । ପାକିସ୍ତାନର ଏନେଇ କୌଣସି ଅଧିକାର ନାହିଁ ।

Gilgit Baltistan.

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ତଥାକଥିତ ଗିଲ୍‌ଗିଟ୍-ବାଲ୍‌ତିସ୍ତାନ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ୧୯୪୭ରେ ‘ୟୁନିୟନ୍‌ ଅଫ୍ ଇଣ୍ଡିଆ’ରେ ଆଇନତଃ, ସମ୍ପୂର୍ଣ୍ଣ ଓ ଚୂଡ଼ାନ୍ତ ଭାବେ ମିଶ୍ରଣ କରାଯିବା ପରେ ତଥାକଥିତ ଗିଲ୍‌ଗିଟ୍-ବଲ୍‌ତିସ୍ତାନ ଅଞ୍ଚଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ ପାଲଟି ଯାଇଛି । ଏହି ଅଞ୍ଚଳ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ । ପାକିସ୍ତାନ ସରକାର ଦ୍ୱାରା ବେଆଇନ୍‌ ଭାବେ ଏଠାରେ ଲୋକଙ୍କୁ ବସବାସ କରିବାକୁ ଦିଆଯାଇଛି । ତେଣୁ ଏହି ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଭାରତ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Gilgit Baltistan.

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ରବିବାର ଗିଲଗିଟ୍‌-ବାଲ୍‌ତିସ୍ତାନକୁ ଅସ୍ଥାୟୀ ପ୍ରଦେଶ ପାଇଁ ଘୋଷଣା କରିବା ସହ ନଭେମ୍ବରରେ ନିର୍ବାଚନ କରିବେ ବୋଲି କହିଥିଲେ । ଏହାକୁ ନେଇ ଖୋଦ୍‌ ପାକିସ୍ତାନରେ ହିଁ ଇମ୍ରାନ୍‌ଙ୍କୁ ସମାଲୋଚନା କରାଯାଇଛି ।

Leave a Reply