ଟ୍ରମ୍ପଙ୍କ କାଶ୍ମୀର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତର ଖାରଜ; ଆଲୋଚନା ହେବ ତ କେବଳ ପିଓକେ ଫେରାଇବାକୁ ନେଇ

ନନ୍ଦିଘୋଷ ବ୍ୟୁରୋ: ଗତକାଲିଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ସୀମାରେ ଗୁଳିଗୋଳା ମାଡ଼ ବନ୍ଦ ହୋଇଯାଇଛି । ଯୁଦ୍ଧ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଏବେ ବି ଜାରି ରହିଛି । ଅସ୍ତ୍ରବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ଆସିଛି । ଏହି ପଦକ୍ଷେପକୁ ଟ୍ରମ୍ପ ସ୍ବାଗତ କରିଛନ୍ତି । ହେଲେ ଏହାସହ ଏମିତି କିଛି କହି ଦେଇଛନ୍ତି, ଯାହା ଭାରତ ପାଇଁ କେବେ ବି ଗ୍ରହଣୀୟ ନୁହେଁ । ଏହି ଅବସରରେ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଯାହାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଣହବାଜ ସରିଫ ସ୍ବାଗତ କରିଛନ୍ତି । ହେଲେ ଭାରତ ଟ୍ରମ୍ପଙ୍କ ପ୍ରସ୍ତାବକୁ ସିଧା ସିଧା ଖାରଜ କରି ଦେଇଛି ।

ବିତେଶ ମନ୍ତ୍ରାଳୟ ଅନୁସାରେ, କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ସ୍ବାକାରଯୋଗ୍ୟ ନୁହେଁ । ପାକିସ୍ତାନ ଯଦି ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛି, ତେବେ ଆଲୋଚନା ପାଇଁ ଦ୍ବାର ଖୋଲା ଅଛି । ଏହାସହ ଭାରତ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି, ଯଦି ଆଲୋଚନା ହେବ ତେବେ କେବଳ ପାକିସ୍ତାନ ଅଧିକୃତ କାଶ୍ମୀର ଫେରାଇବା ଉପରେ ଆଲୋଚନା ହେବ । ଏହା ବ୍ୟତୀତ ଅନ୍ୟ କିଛି ଆଲୋଚନା ହେବ ନାହିଁ । ଆଉ ଏହି ପ୍ରସଙ୍ଗରେ ଆମେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରିବୁ ନାହିଁ ।