କରୋନା ଭାଇରସକୁ ନେଇ ୫ଟି ଖବର: ୨ଟି ଖରାପ, ୩ଟି ଭଲ

ନୂଆଦିଲ୍ଲୀ: ଶୁକ୍ରବାର ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩ରେ ପହଞ୍ଚିଛି । ଲଗାତାର ବଢ଼ୁଥିବା ସଂକ୍ରମଣ ମାମଲାକୁ ନେଇ ମନରେ ଭୟ ବଢ଼ି ଚାଲିଥିବା ବେଳେ ଆସିଛି କିଛି ଆଶ୍ୱସ୍ତିକର ଖବର । ଗତ ୨୪ ଘଣ୍ଟାରେ ସର୍ବାଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା’ଠାରୁ ଆଶ୍ୱସ୍ତିକର କଥା ହେଉଛି ନୂତନ ସଂକ୍ରମିତଙ୍କ ଠାରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ୮୬ ହଜାର ୪୨୨ କରୋନା ସଂକ୍ରମିତ ଲୋକ ଅଛନ୍ତି । କାରଣ ବାକି ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି । କେବଳ ଶୁକ୍ରବାର ଗୋଟିଏ ଦିନରେ କରୋନା ଭାଇରସ୍ ୫ଟି ରେକର୍ଡ ତିଆରି କରିଥିବାବେଳେ ୨ଟି ଡରାଇବା ଭଳି ଅନ୍ୟ ୩ଟି ଆଶ୍ୱସ୍ତି ଦେଲା ଭଳି ।

୧) ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ

ବିଗତ ୨୪ ଘଣ୍ଟାରେ ୧୧ ହଜାର ୨୬୪ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଭାରତରେ ଏହି ସୁସ୍ଥ ସଂଖ୍ୟା ବର୍ତ୍ତମାନ ଯାଏଁ ସର୍ବାଧିକ । ପୂର୍ବରୁ ଅତେ ସଂଖ୍ୟାରେ ଆକ୍ରାନ୍ତ କେବେ ସୁସ୍ଥ ହୋଇନଥିଲେ ।

୨) ନୂଆ ମାମଲା ଅପେକ୍ଷା ଅଧିକ ସୁସ୍ଥ

ଯଦିଓ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ, ପ୍ରଥମଥର ପାଇଁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ନୂତନ ସଂକ୍ରମଣ ମାମଲା ଠାରୁ ଅଧିକ ।

୩) ବଢ଼ିଛି ସୁସ୍ଥ ହାର

ଏକ ଭଲ ଖବର ହେଉଛି ଦେଶରେ ସୁସ୍ଥ ହାର ବଢ଼ିଛି । ଆରୋଗ୍ୟ ହାର ବଢ଼ି ୪୭.୪୦ ପ୍ରତିଶତରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ଯାଏଁ ୮୨ ହଜାର ୩୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

୪) ରେକର୍ଡ ସଂଖ୍ୟକ ନୂଆ ମାମଲା

ଶୁକ୍ରବାର କରୋନା ଭାଇରସର ୭ ହଜାର ୯୬୪ଟି ନୂଆ ମାମଲା ଚିହ୍ନଟ ହୋଇଛି । କିନ୍ତୁ ଏହାଠାରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

୫) ଦିନକରେ ସର୍ବାଧିକ ମୃତ

ବର୍ତ୍ତମାନ ଯାଏଁ ସଂଖ୍ୟା ଦେଖିଲେ ଶୁକ୍ରବାର ଗୋଟିଏ ଦିନରେ ୨୬୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହା ଆଜି ସୁଦ୍ଧା ଦିନକରେ ଦେଶରେ ସର୍ବାଧିକ ମୃତ୍ୟୁ । ବର୍ତ୍ତମାନ ଯାଏଁ ଦେଶରେ ୪ ହଜାର ୭୯୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି ।

 

Leave a Reply