ଏସିଆନ ଗେମ୍ସ ଦଶମ ଦିବସ: ଟି-ଟ୍ବେଣ୍ଟି କ୍ରିକେଟରେ ସେମିରେ ପ୍ରବେଶ କଲା ଭାରତ

1 min read

ନୂଆଦିଲ୍ଲୀ : ଯଶସ୍ବୀ ଜୟସ୍ବାଲଙ୍କ ଶତକୀୟ ପାଳି । ସ୍ପିନରଙ୍କ ଧମାକା ବଳରେ ଭାରତର ବଡ଼ ବିଜୟ । ଏସିଆନ ଗେମସରେ ଟି-ଟ୍ବେଣ୍ଟି କ୍ରିକେଟରେ ନେପାଳକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୨୩ ରନରେ ପରାସ୍ତ ହୋଇଛି ନେପାଳ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୦୨ ରନ କରିଥିବାବେଳେ ନେପାଳ ଟାର୍ଗେଟକୁ ପିଛା କରି ନ ୱିକେଟ ହରାଇ ୧୭୯ ରନରେ ଅଟକି ଯାଇଥିଲା ।

ଜୟସ୍ବାଲ ୪୯ ବଲରେ ସେଞ୍ଚୁରୀ ମାରିଥିବାବେଳେ ଏଥିରେ ସାତଟି ଛକା ଓ ଆଠଟି ଚୌକା ସାମିଲ ଥିଲା । ଓପନିଂ ଯୋଡି ଭାବେ କ୍ୟାପଟେନ ଋତୁରାଜ ଗାଏକୱାଡଙ୍କ ସହ ଜୟସ୍ବାଲ ପଡିଆକୁ ଓହ୍ଲାଇ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଖେଳି ମାତ୍ର ୫୯ ବଲରେ ୧୦୩ରନ କରି ଶକ୍ତିଶାଳୀ ମୂଳଦୁଆ ପକାଇଥିଲେ । ସେହିପରି ଶିବମ ଦୁବେ ୧୯ ବଲରେ ୨୫ ରନ, ରିଙ୍କୁ ସିଂହ ୧୫ ବଲରେ ୩୭ ରନ ବଳରେ ଭାରତ ୨ଶହ ପାର କରିଥିଲା ।

ଏହାପରେ ନେପାଳ ୨୦୨ରନର ପିଛା କରି ୧୩ ଓଭର ସୁଦ୍ଧା ୪ ୱିକେଟ ହରାଇ ୧୨୦ ରନ କରି ଭଲ ସ୍ଥିତିରେ ଥିଲା । ହେଲେ ପରେ କିନ୍ତୁ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୧୭୯ ରନରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ବିଷ୍ଣୋୟୀ ୩ ୱିକେଟ ନେଇଥିଲେ । କେନୋୟିଙ୍ଗ ପୁରୁଷ ମିଳିତ ବର୍ଗରେ ଭାରତକୁ ବ୍ରୋଞ୍ଜ ମେଡାଲ ମିଳିଥିବାବେଳେ ବକ୍ସିଂର ୫୪ କିଲୋ ମହିଳା ବର୍ଗରେ ବ୍ରୋଞ୍ଜ ଆଣିଛନ୍ତି ପ୍ରୀତି ପାୱାର । ଏହାକୁ ମିଶାଇ ଏବେ ସୁଦ୍ଧା ୬୨ଟି ପଦକ ଭାରତ ଖାତାକୁ ଆସିଲାଣି । ଯେଉଁଥିରେ ୧୩ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୨୫ ବ୍ରୋଞ୍ଜ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ପୋଜିସନରେ ଅଛି ଭାରତ ।