ବିଶ୍ବରେ ମଧ୍ୟମ ଆୟବର୍ଗ ଶ୍ରେଣୀରେ ଭାରତ: କିଛି ଧନୀ ଓ ମୁଷ୍ଟିମେୟଙ୍କ ହାତରେ ସମ୍ବଳ, ଦେଶର ସାମଗ୍ରିକ ବିକାଶ ହେଉନି

1 min read

ଭୁବନେଶ୍ବର: ବିଶ୍ବରେ ମଧ୍ୟମ ଆୟବର୍ଗ ଶ୍ରେଣୀରେ ଭାରତ । ଅଭିବୃଦ୍ଧି ଓ ଉତ୍ପାଦନ ନେଇ କେନ୍ଦ୍ର ସରକାର ଯେତେ ଯାହା କହିଲେ ବି କିଛି ଧନୀ ଓ ମୁଷ୍ଟିମେୟ ଲୋକଙ୍କୁ ଛାଡ଼ି ଦେଲେ ଦେଶର ସାମଗ୍ରିକ ବିକାଶ ହୋଇନି । ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ମତରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିଶ୍ବର ବହୁ ପଛରେ ରହିଛି ଭାରତ । ଉତ୍ପାଦନ ଶିଳ୍ପ ହବ୍ ନେଇ ଘୋଷଣା ହେଉଥିଲେ ବି ମାନ୍ୟୁଫାକ୍ଚରିଂ ଶିଳ୍ପରୁ ଛଟେଇ ଯୋଗୁଁ ବେରୋଜଗାରୀ ବଢୁଛି । ଏହାସହ ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ହେଉଥିବାରୁ ବୈଦେଶିକ ମୁଦ୍ରା ଓ ଋଣ ବୋଝ ବଢି ଚାଲିଛି । ଏଭଳି ସ୍ଥିତିରେ ବିକଶିତ ଭାରତର ଲକ୍ଷ୍ୟକୁ ନେଇ ଉଠିଛି ପ୍ରଶ୍ନ ।

ଦେଶ ଆଗଉଛି । ୨୦୩୨ ବେଳକୁ ଭାରତ ଅର୍ଥନୀତି ୧୦ ଟ୍ରିଲିୟନ୍ ହେବ । ଏପରି ସ୍ଲୋଗାନ୍ ଦେଉଛନ୍ତି କେନ୍ଦ୍ର ସରକାର । ହେଲେ ଦେଶର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ବିଶ୍ବର ବିକଶିତ ରାଷ୍ଟ୍ର ତୁଳନାରେ ମଧ୍ୟମ ଆୟକାରୀ ଶ୍ରେଣୀରେ ସୀମିତ ରହିଯିବ ଭାରତ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅର୍ଥନୀତି ବିଶାରଦ ଏବେ ଭାରତ ସନ୍ଦର୍ଭରେ ଏପରି ଆକଳନ କରିଛନ୍ତି । ଦେଶର ଶିଳ୍ପ କ୍ଷେତ୍ରରେ କୁଶଳୀ କାରିଗର ଓ ହାଇଏଣ୍ଡ୍ ବୈଷୟିକ ଯନ୍ତ୍ରପାତି ବ୍ୟବହାର ପାଇଁ ଦକ୍ଷତା ବିକାଶ ଏବେ ବି ଅପହଞ୍ଚ ହୋଇଛି । ମାତ୍ର ୬ ପ୍ରତିଶତ ଲୋକ ଦକ୍ଷ ହୋଇପାରିଛନ୍ତି । ବାକି ୯୪ ପ୍ରତିଶତ ଅଣକୁଶଳୀ କେବଳ ଶ୍ରମଜୀବୀ ହିସାବରେ ଜୀବିକା ଅର୍ଜନ କରୁଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାର କହୁଛନ୍ତି ଭାରତ ସେମିକଣ୍ଡକ୍ଟର ଓ ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ହବ୍ ହେବାକୁ ଯାଉଛି । କିନ୍ତୁ ମାନ୍ୟୁଫାକ୍ଚରିଂ ଶିଳ୍ପରେ ଭାରତରେ ଛଟେଇ ହୋଇ ଚାଲିଛି । ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ରହୁଥିବାରୁ ବିକଶିତ ଭାରତ ଲକ୍ଷ୍ୟ କେମିତି ସାଧିତ ହେବ ତାକୁ ନେଇ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ପ୍ରଶ୍ନ ଉଠାଇଥିଲେ । ଏବେ ସମାନ ପ୍ରଶ୍ନ ଅର୍ଥନୀତିଜ୍ଞଙ୍କ ମନରେ ଉଙ୍କି ମାରୁଛି ।

ଯେତେ ନୀତି ନିୟମ ହେଲେ ବି ଦେଶରୁ ଏ ପର୍ଯ୍ୟନ୍ତ ପ୍ରିୟାପ୍ରିତି ଓ ତୋଷରପାତ ନୀତି ଯାଇନି । ନୀତି ପ୍ରଣୟନ ହେଉଛି କିନ୍ତୁ ତା’ର ସୁଫଳ ସବୁ ଲୋକଙ୍କ ପାଖରେ ପହଞ୍ଚୁନି । ସମ୍ବଳ ନଥିଲେ ଗୁଣାତ୍ମକ ଉଚ୍ଚତର ଶିକ୍ଷା ମିଳିପାରୁନି । ବିଶ୍ବ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସହିତ ଦକ୍ଷତା ବିକାଶକୁ ବାଧ୍ୟତାମୂଳକ କରିବାକୁ ପଡ଼ିବ । ନହେଲେ ଶିକ୍ଷାୟତନରୁ ବାହାରି ଦକ୍ଷତା ବିକାଶ ପାଇଁ ସମ୍ପୃକ୍ତ ଯୁବକଯୁବତୀଙ୍କୁ କମ୍ ବେତନରେ ଚାକିରି କରିବାକୁ ପଡ଼ୁଛି । ସମ୍ପୂର୍ଣ୍ଣ ଦକ୍ଷ ହେବାକୁ ହେଲେ ବହୁ ବର୍ଷ ଲାଗୁଛି । ବୟସ ଅତିକ୍ରାନ୍ତ ହେଉଥିବାରୁ ସମ୍ପୃକ୍ତ କର୍ମଚାରୀ ପରିବର୍ତ୍ତିତ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ଆଉ ଆଗ୍ରହ ଦେଖାଇ ପାରୁନାହାନ୍ତି ।

ଦେଶ ଅଭିବୃଦ୍ଧି କରୁଛି । ହେଲେ ଧନୀ-ଗରିବ ତାରତମ୍ୟ ବଢି ଚାଲିଛି । ଦେଶର ଆର୍ଥିକ ଅଭିବୃଦ୍ଧି ସହିତ ସମତାଳ ଦେଇ ଯଦି ଲୋକଙ୍କ ଆୟ ନ ବଢେ ତା’ହେଲେ ଧନୀ ଅଧିକ ଧନୀ ହୋଇ ଚାଲିଥିବ ଆଉ ଗରିବ ଯେଉଁ ଗରିବକୁ ସେହି ଗରିବ ହୋଇ ରହିବ । ଏଭଳି ସ୍ଥିତିରେ ବିଶ୍ବର ଉଚ୍ଚ ଆୟକରୀ ବର୍ଗର ତାଲିକାରେ ଭାରତ ସାମିଲ ହେବାକୁ କେତେବର୍ଷ ଲାଗିବ ତାହା ସମୟ କହିବ ।