ଆସିଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା, ଓଭରଅଲ୍ କାଟେଗୋରୀରେ ଓଡ଼ିଶାର ରହିଛି ୩ ଅନୁଷ୍ଠାନ

1 min read

ନନ୍ଦିଘୋଷ ବ୍ୟୁରୋ: ଆସିଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା । ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଏଥିରେ ରାଙ୍କି କରାଯାଇଥିବାବେଳେ ଚଳିତ ବର୍ଷ ୧୬ଟି କ୍ୟାଟେଗୋରୀରେ ରାଙ୍କିଂ କରାଯାଇଛି । ଓଭରଅଲ୍ କାଟେଗୋରୀରେ ଓଡ଼ିଶାର ରହିଛି ୩ ଅନୁଷ୍ଠାନ । ଦୁଇଟି ପାହାଚ ଉପରକୁ ଉଠି ୨୪ ନମ୍ବରରେ ସୋଆ ବିଶ୍ବବିଦ୍ଯାଳୟ ରହିଥିବାବେଳେ ୨୮ ରେ କିଟ ଏବଂ ୩୪ ନମ୍ବରରେ NIT ରାଉରକେଲା ରହିଛି । ସେହିଭଳି ବିଶ୍ବବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୧୪ ନମ୍ବର ରହିଥିବା ବେଳେ କିଟ ୧୫ ନମ୍ବରରେ ରହିଛି । ଟପ୍ ୫୦ ସରକାରୀ ବିଶ୍ବବିଦ୍ଯାଳୟ ବର୍ଗରେ ୪୨ ନମ୍ବରରେ ଓଡ଼ିଶାର ଉତ୍କଳ ବିଶ୍ବବିଦ୍ଯାଳୟ ରହିଛି ।

ଟପ ୫୦ ଗବେଷଣାକାରୀ ସଂସ୍ଥା ବର୍ଗରେ ୩୦ ନମ୍ବରରେ NIT ରାଉରକେଲା, ୪୬ରେ କିଟ ଓ ସୋଆ ୫୦ ନମ୍ବରରେ ରହିଛି । ବିଶେଷକରି ସୋଆ ଏଥର ଭଲ ପ୍ରଦର୍ଶନ କରିଛି । ରାଙ୍କିଂର ନବମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରି ସୋଆ ଗୋଟିଏ ପାହାଚ ଉପରକୁ ଉଠିଛି । ଡିମ୍ଡ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କ୍ୟାଟେଗୋରୀରେ ଗତ ବର୍ଷ ୨୭ତମ ସ୍ଥାନରେ ସୋଆ ଥିବା ବେଳେ ଚଳିତ ବର୍ଷ ଏଥିରେ ଉନ୍ନତି ଘଟି ୨୬ ତମ ସ୍ଥାନରେ ପହଂଚିଛି । ମେଡିକାଲ୍ ସାଇନସ କ୍ୟାଟେଗୋରୀରେ ଦେଶରେ ସୋଆ ୨୧ ତମ, ଡେଣ୍ଟାଲ ଏବଂ ଲ’ କ୍ୟାଟେଗୋରୀରେ ନବମ ସ୍ଥାନରେ ରହିଛି ।

ସେହିପରି ମ୍ୟାନେଜମେଂଟ ସାଇନସ କ୍ୟାଟେଗୋରିରେ ୬୨ତମ ଏବଂ ରିସର୍ଚ୍ଚ କ୍ୟାଟେଗୋରିରେ ୫୦ ତମ ସ୍ଥାନ ହାସଲ କରିଛି ସୋଆ । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଖୁସି ବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ଅଧ୍ଯାପକ, ଗବେଷକ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋଆକୁ ଆହୁରି ଉଚ୍ଚକୁ ନେବା ନିମନ୍ତେ ସେମାନଙ୍କର ଏହି ଉଦ୍ୟମକୁ ଜାରି ରଖିବା ନିମନ୍ତେ ପ୍ରୋତ୍ସାହିତ କରିଛନ୍ତି । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ୱବିଦ୍ୟାଳୟକୁ ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନିତ କରିବା ପାଇଁ କଠିନ ପରିଶ୍ରମ ଜାରି ରଖିବା ନିମନ୍ତେ ଆହ୍ୱାନ ଦେଇଛନ୍ତି ।