ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ପାପ ଘଡ଼ି ପୂରି ସାରିଛି: ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରକୁ ନେଇ ତିନି ସେନାର ଡିଜି ଅପରେସନର ସାମ୍ବାଦିକ ସମ୍ମିଳନୀ । ଭାରତୀୟ ସେନାର ଡାଇରେକ୍ଟର ଜେନେରାଲ ଅଫ୍ ମିଲେଟ୍ରି ଅପରେସନ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଅପରେସନ ସିନ୍ଦୂରର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ କରାଇ ପାକିସ୍ତାନ ନିଜ ପାପର ଘଡ଼ି ପୂରଣ କରି ଦେଇଛି । ଆଗକୁ ଅପରେସନ ସିନ୍ଦୁର ପରି ଉଚିତ ଜବାବ ପାଇବ । ଏୟାର ଷ୍ଟ୍ରାଇକ ପରେ ଆମ ଏୟାର ଡିଫେନ୍ସ ସିଷ୍ଟମ ପ୍ରସ୍ତୁତ ଥିଲା । ପାକିସ୍ତାନ ଆମ ଏୟାର ଡିଫେନ୍ସ ଗ୍ରୀଡକୁ ଭେଦ କରି ପାରିଲାନି ।

ଆଗକୁ ସେ କହିଛନ୍ତି, ଆତଙ୍କବାଦର ଶୈଳୀ ବଦଳିଛି । ସେନା ସହ ନୀରିହ ଲୋକଙ୍କୁ ମଧ୍ୟ ଆକ୍ରମଣ କରାଯାଉଛି । ୨୦୨୪ରେ ଜମ୍ମୁରେ ଶିବଖୋରୀ ମନ୍ଦିର ଯାଉଥିବା ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତ ଏପ୍ରିଲରେ ପହଲଗାଓଁରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଆତଙ୍କବାଦୀଙ୍କ ନିଷ୍ଠୁରତାର ଗୋଟିଏ ଗୋଟିଏ ଉଦାହରଣ । ପହଲଗାଓଁ ପର୍ଯ୍ୟନ୍ତ ପାକିସ୍ତାନର ପାପ ଘଡ଼ା ଭରି ଯାଇଥିଲା । ଏହାପରେ ଆମେ ଏୟାର ଷ୍ଟ୍ରାଇକ କରିଥିଲୁ । ଆମକୁ ପୂର୍ବରୁ ଆଦେଶ ଥିଲା ପାକିସ୍ତାନ ଯୁଦ୍ଧକୁ ଓହ୍ଲାଇବ । ଏଥିପାଇଁ ଆମେ ଆମ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରି ଦେଇଥିଲୁ ।

ଘାଇ କହିଛନ୍ତି, ଆମେ ପ୍ରସ୍ତୁତ ଥିଲୁ ଓ ଆମ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ଥିଲା । ଆମେ ଆକ୍ରମଣକୁ ପ୍ରତିହତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲୁ ।

ଏୟାର ଅପରେସନ ଡିଜି ଏୟାର ମାର୍ଶଲ ଏକେ ଭାରତୀ କହିଥିଲେ, ଆମ ଲଢ଼େଇ ଆତଙ୍କବବାଦୀ ଓ ଆତଙ୍କବାଦ ବିରୋଧରେ । ସେଥିପାଇଁ ଆମେ ମେ’ ୭ରେ ଆତଙ୍କବାଦୀ ସେଣ୍ଟର ଉପରେ ଆଟାକ କରିଥିଲୁ । ହେଲେ ପରିତାପର ବିଷୟ, ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସମର୍ଥନରେ ବାହାରିବା ସହ ଏୟାର ଷ୍ଟ୍ରାଇକ ପାକିସ୍ତନ ଉପରେ ଆକ୍ରମଣ ବୋଲି ଧରି ନେଇଥିଲା । ଏମିତି ସ୍ଥିତିରେ ଆମର ପ୍ରତିଆକ୍ରମଣ ଆବଶ୍ୟକ ଥିଲା । ଏଥିରେ ଯାହାବି କିଛି କ୍ଷତି ହେଲା, ସେଥିପାଇଁ ପାକିସ୍ତାନ ନିଜେ ଦାୟୀ ।