T-20 WC: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଚାରିଆଡ଼ୁ ବିରୋଧ, ପାକିସ୍ତାନକୁ କଡ଼ା ଜବାବ ପାଇଁ ବନ୍ଦ ହେଉ ଏହି ମ୍ୟାଚ୍‌

1 min read

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌ର ମହାସମର। ବିଶ୍ୱକଫ୍‌ ଟାଇଟଲକୁ ହାତେଇବା ପାଇଁ ସମସ୍ତ ଦଳ ପୁରା ପ୍ରସ୍ତୁତ। ଆସନ୍ତା ଅକ୍ଟୋବର ୨୪ ତାରିଖରେ ଖେଳାଯିବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌। ଭାରତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହିତ ଖେଳିବାକୁ ଯାଉଛି। ତେବେ ଏହି ମ୍ୟାଚ୍‌ ପାକିସ୍ତାନ ସହ ଥିବାରୁ ଏହାକୁ ଚାରିଆଡ଼ୁ ବିରୋଧ କରାଯାଉଛି। ପାକିସ୍ତାନ ସହ ଏହି ମ୍ୟାଚ୍‌ ଭାରତ ନଖେଳୁ ବୋଲି ଚର୍ଚ୍ଚା ଯୋର ଧରିଛି। କାରଣ ପାକିସ୍ତାନ ବାରମ୍ବାର ଭାରତ ଉପରେ ଆକ୍ରଣ, ଆତଙ୍କବାଦୀଙ୍କ ସହ ପାକିସ୍ତାନର ସୁ ସମ୍ପର୍କ, ଚଳିତ ଦିନ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ପାଇଁ ଏଭଳି ବିରୋଧ ଏବେ ତୀବ୍ର ହେବାରେ ଲାଗିଛି।

ଏହି ମ୍ୟାଚ୍‌କୁ ନେଇ ପୁଣିଥରେ ବିଚାର କରାଯାଉ ବୋଲି ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ବର୍ତ୍ତମାନ ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ମଧ୍ୟ ଏହା କହିଛନ୍ତି।

ତାରକିଶୋର ପ୍ରସାଦ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଅନ୍ୟ ରାଜ୍ୟର ଲୋକଙ୍କୁ ହତ୍ୟା କରାଯାଉଛି, ଏହା ସାରା ବିଶ୍ୱ ପାଇଁ ସବୁଠାରୁ ବଡ଼ ଦୁଃଖଦାୟକ। ଭାରତରେ ଆତଙ୍କ ବୃଦ୍ଧି ପାଇଁ ପାକିସ୍ତାନ ଯେଉଁ କାମ କରୁଛି, ତାକୁ ବିରୋଧ କରି ଏହି ମ୍ୟାଚ୍‌ ବନ୍ଦ ହେବା ଉଚିତ୍। ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ଭାରତ ଏଭଳି ପଦକ୍ଷେପ ନେବା ଉଚିତ ବୋଲି ବିହାର ଡେପୁଟି ସିଏମ କହିଛନ୍ତି।

ଅକ୍ଟୋବର ୨୪ ରେ ଭାରତ ଏବଂ ପାକିସ୍ତାନ ଟି -୨୦ ବିଶ୍ୱକପରେ ମୁହାଁ ମୁହିଁ ହେବେ। ଦୀର୍ଘ ସମୟ ପରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି।

ଏହି ସମଗ୍ର ବିତର୍କ ଉପରେ କଂଗ୍ରେସ ନେତା ତଥା ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି। ରାଜୀବ ଶୁକ୍ଲା କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଯାହା କିଛି ଘଟିଛି, ତାହା ନିନ୍ଦନୀୟ। କିନ୍ତୁ ମ୍ୟାଚ୍ ଏହିପରି ବାତିଲ ହୋଇପାରିବ ନାହିଁ, ଏହା ଆଇସିସିର ଏକ ପ୍ରତିବଦ୍ଧତା।

ତେବେ ଏହି ମ୍ୟାଚ୍ ପୂର୍ବରୁ ଜାମ୍ମୁ କାଶ୍ମୀରରେ କିଛି ଘଟଣା ଘଟିଛି ଯେଉଁଠାରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀଙ୍କ ଦ୍ୱାରା ବିହାରର କିଛି ନାଗରିକ ମଧ୍ୟ ଟାର୍ଗେଟ ହୋଇଛନ୍ତି। ଏହା ବ୍ୟତୀତ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ପ୍ରାୟ ୯ ଜଣ ଯବାନ ସହିଦ ହୋଇଛନ୍ତି।

ଏହି କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ କରିବାକୁ ଚାରିଆଡ଼ୁ ଦାବି ହେଉଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ କିଛିଦିନ ପୂର୍ବରୁ ଏକ ବିବୃତ୍ତି ଦେଇଛନ୍ତି ଯେ ଯଦି ସମ୍ପର୍କ ଭଲ ନଥାଏ ତେବେ ଏହାକୁ ବିଚାର କରାଯିବା ଉଚିତ। ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିବା ବ୍ୟକ୍ତିଙ୍କ ପିତା ଗିରିରାଜ ସିଂଙ୍କ ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚକୁ ବାତିଲ କରିବାକୁ ସରକାରଙ୍କୁ ଦାବି କରିଥିଲେ।

Leave a Reply