ଭାରତର ମିସାଇଲ ମାଡ଼ ପ୍ରସଙ୍ଗକୁ ନେଇ ଏବେ ଏହି ଦେଶ ପାଖରେ ଗୁହାରି କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ମିସାଇଲ ବିବାଦ ପ୍ରତ୍ୟେକ ଦିନ ନୂଆ ମୋଡ଼ ନେଉଛି । ଏବେ ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଜର୍ମାନୀ ସହ ଆଲୋଚନା କରିଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ ସୋମବାର ଦିନ ଜର୍ମାନୀର ବିଦେଶ ମନ୍ତ୍ରୀ ଏନାଲେନା ବେରବାଂକଙ୍କ ସହ ଫୋନ ଦ୍ୱାରା କଥାବାର୍ତ୍ତା କରି ଏହି ମିସାଇଲ ମାଡ଼କୁ ଗମ୍ଭୀରତା ସହ ନେବାକୁ ଆଗ୍ରହ କରିଛନ୍ତି ।  ତେବେ ଏନେଇ ଭାରତ ତରଫରୁ ଯେଉଁ ସ୍ପଷ୍ଟିକରଣ ଦିଆଯାଇଥିଲା ତାହା ଅତ୍ୟନ୍ତ ସାଧାରଣ ତେଣୁ ଏହି ଘଟଣାକୁ ଏତେ ସରଳରେ ନିଆ ଯାଇ ନପାରେ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି  ।

ସେପଟେ ପାକିସ୍ତାନ ବୈଦେଶିକ ବିଭାଗ ପକ୍ଷରୁ ବିବୃତି ଜାରି କରି କୁହାଯାଇଥିଲା ଯେ କ୍ଷେପଣାସ୍ତ୍ର ପରିଚାଳନାରେ ଭାରତର ଏଭଳି ଗୁରୁତର ତ୍ରୁଟି କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ। ଏହାକୁ କେବଳ ବୈଷୟିକ ତ୍ରୁଟି ବୋଲି କହିଦେଲେ ଚଳିବ ନାହିଁ। ଏକ୍ଷେତ୍ରରେ ଅନେକ ଗୁରୁତର ତ୍ରୁଟି ରହିଛି । ତେଣୁ ଏହାର ବ୍ୟାପକ ତଦନ୍ତ ହେବା ଦରକାର। କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡ଼ିଥିବାରୁ ଏହି ତଦନ୍ତରେ ପାକିସ୍ତାନକୁ ମଧ୍ୟ ସାମିଲ କରାଯାଉ ବୋଲି ଦାବି କରିଛି ।

ତେବେ ଏହା ପୂର୍ବରୁ ପାକିସ୍ତାନରେ ଭାରତର କ୍ଷେପଣାସ୍ତ୍ର ପଡ଼ିବା ଘଟଣାରେ ଆମେରିକା ମଧ୍ୟ ପ୍ରତିକ୍ରିୟା ରଖିଛି । ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଭାରତରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ଏକ ଦୁର୍ଘଟଣା। ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ଆପଣ ଯେପରି ଭାରତଠାରୁ ସହକର୍ମୀଙ୍କଠାରୁ ଶୁଣିଥିବେ ଯେ ଏହି ଘଟଣା ଭୁଲ ବ୍ୟତୀତ ଆଉ କିଛି ନୁହେଁ । ତେବେ ଏହା ପଛରେ ଅନ୍ୟ କୌଣସି କାରଣ ଥିବା ପରି ମନେ ହେଉନାହିଁ ବୋଲି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି  ।

DRDO Successfully Launched Missile Prahaar From Chandipur

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇ ପାକିସ୍ତାନ ଅଞ୍ଚଳରେ ପଡ଼ିଥିଲା। ଏଥିପାଇଁ ଭାରତ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଥିଲା। ଏହି ଦୁର୍ଘଟଣା ପାଇଁ କୌଣସି ଜୀବନହାନୀ ହୋଇ ନଥିବାରୁ ଭାରତ ଆଶ୍ବସ୍ତି ପ୍ରକାଶ କରିଥିଲା । ଏହା ଏକ ଯାନ୍ତ୍ରୀକ ତ୍ରୁଟି ବୋଲି ଜଣାଇଥିଲା । କିନ୍ତୁ ଏହି ଉତ୍ତରରେ ସନ୍ତୁଷ୍ଟ ନାହିଁ ପାକିସ୍ତାନ ।