ଆଜିଠୁ ଆରବସାଗରରେ ଆରମ୍ଭ ଭାରତ ଓ ପାକିସ୍ତାନର ସମରାଭ୍ୟାସ

1 min read

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଲାଗି ମୁହାଁମୁହିଁ ହେବେ ଭାରତ-ପାକ ନୌସେନା । ଉତ୍ତର ଆରବ ସାଗରରେ ଭାରତ କରିବ ଫାୟାରିଂ ସମରାଭ୍ୟାସ । ଆଜି ଦିନ ସାଢେ ୧୧ଟାରୁ ଅପରାହ୍ନ ସାଢେ ଗୋଟାଏ ମଧ୍ୟରେ ଅଭ୍ୟାସ କରିବେ ଭାରତୀୟ ନୌସେନାର ନାବିକ । ଏଥିଲାଗି କଟକଣା ଜାରି କରିଛି ଭାରତୀୟ ନୌସେନା । କୌଣସି ଦେଶର ଜାହାଜ କିମ୍ବା ବାଣିଜ୍ୟିକ ଜାହାଜ ସମରାଭ୍ୟାସ ହେବାକୁ ଥିବା ଜଳପଥ ଦେଇ ନଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସେପଟେ ପାକିସ୍ତାନ ନୌସେନା ମଧ୍ୟ ସମାନ ନୌସେନା ସମରାଭ୍ୟାସ ଲାଗି ନିର୍ଦ୍ଦେଶ ଜାରି କରିଛି ।

ଆଜି ଭୋର ୪ଟାରୁ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଜାରି କରିଛି ପାକିସ୍ତାନ ନୌସେନା । ଗୋଟିଏ ଦିନ ଗୋଟିଏ ସମୟରେ ଦୁଇ ଦେଶର ନୌସେନା ସମରାଭ୍ୟାସ କରୁଥିବାରୁ ସାରା ବିଶ୍ଵର ନଜର ଏହି ମିଲିଟାରୀ ଡ୍ରିଲ ଉପରେ ରହିଛି । ଦୁଇ ଦେଶ ମଧ୍ୟରେ ଗୁଳିଚାଳନା ଦୂରତା ମାତ୍ର ୬୦ ନଟିକାଲ୍ ମାଇଲ୍ ରହିଛି। ଏଭଳି ସ୍ଥିତିରେ ସମଗ୍ର ବିଶ୍ୱର ନଜର ଭାରତ ଏବଂ ପାକିସ୍ତାନର ସାମୁଦ୍ରିକ ସୀମା ଉପରେ ରହିଛି । କେଉଁ ଯୁଦ୍ଧଜାହାଜକୁ ଗୁଳିଚାଳନା ପାଇଁ ବ୍ୟବହାର କରାଯିବ ସେ ନେଇ ଭାରତ କୌଣସି ସୂଚନା ଦେଇନାହିଁ । ସେହିପରି ପାକିସ୍ତାନ ମଧ୍ୟ କେଉଁ ଜାହାଜ ବ୍ୟବହାର କରିବ ସେନେଇ କୌଣସି ସୂଚନା ଦେଇନାହିଁ ।