ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦ । ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳର ସାଂସଦମାନେ ରାଷ୍ଟ୍ରପତିଙ୍କ ନିକଟରେ କେନ୍ଦ୍ର ସରକାରଙ୍କର ଥିବା ଆଭିମୁଖ୍ୟ ସ୍ପଷ୍ଟ କରିବେ । ବିରୋଧୀ ଦଳ ନେତାଙ୍କୁ ଭେଟିବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାୟ ୩ ମାସ ହେଲା ମଣିପୁର ଜଳୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରପତି ସେମାନଙ୍କ କଥା ଶୁଣନ୍ତୁ ବୋଲି ଅନୁରୋଧ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ । ଏହାକୁ ସେ ଗ୍ରହଣ କରି ଭେଟିବାକୁ ସମୟ ଦେଇଛନ୍ତି । ଆଜି ଦିନ ୧୧.୩୦ରେ ସେ ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବେ । ଜୁଲାଇ ୨୦ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ନାରାବାଜୀ କରୁଛନ୍ତି। ସେମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି ।

ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର । ସେଠାରେ ହିଂସା ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି । ଏହାର ସମାଧାନ ପାଇଁ ସେମାନେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ନିକଟରେ ବିରୋଧୀ ଦଳର ୨୧ ଜଣ ସାଂସଦ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ସମୀକ୍ଷା କରିଥିଲେ ।