ଚୀନରେ ଭୟଙ୍କର ହେଉଛି ନିମୋନିଆ, ଆଲର୍ଟରେ ଭାରତ
1 min read
ନୂଆଦିଲ୍ଲୀ: ଚୀନରେ ସନ୍ଦିଗ୍ଧ ନିମୋନିଆ ବ୍ୟାପିବା ଘଟଣାରେ ଭାରତର ଉଦବେଗ। ଏହି ରୋଗର ଉପଯୁକ୍ତ ଯାଞ୍ଚ କରିବା ଉଚିତ ବୋଲି ଚୀନ ଉଦ୍ଦେଶ୍ୟରେ କହିଛନ୍ତି କେନ୍ଦ୍ରର କୋଭିଡ ପ୍ୟାନେଲ ମୁଖ୍ୟ ଡାକ୍ତର ଏନକେ ଆରୋରା। ଭୟଙ୍କର ମହାମାରୀ କୋଭିଡରେ ବ୍ୟାପକ କ୍ଷତିର ଶିକାର ହୋଇଥିବା ଭାରତ ଚୀନରେ ବ୍ୟାପିଥିବା ସନ୍ଦିଗ୍ଧ ରୋଗ ପ୍ରତି ସତର୍କ ଦୃଷ୍ଟି ରଖିଛି।
ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ ଅନ ଇମ୍ୟୁନାଇଜେସନ ବା ଏନଟିଏଜିଆଇର ମୁଖ୍ୟ ଡାକ୍ତର ଆରୋରା କହିଛନ୍ତି- ଯଦି ଏହି ସନ୍ଦିଗ୍ଧ ରୋଗ ଚୀନ ଲାଗି ଆହ୍ବାନ ସୃଷ୍ଟି କରେ ତେବେ ଚୀନ ସରକାର ଅନ୍ତରାଷ୍ଟ୍ରୀୟ ସମୁଦାୟର ସହଯୋଗ ଲୋଡିବା ଉଚିତ। ଚୀନରେ ସନ୍ଦିଗ୍ଧ ରୋଗ ବ୍ୟାପିବା ଉପରେ ବିଶ୍ବ ସତର୍କ ଦୃଷ୍ଟି ରଖିଛି।
ଆରୋରା କହିଛନ୍ତି- ବର୍ତ୍ତମାନ ସମସ୍ତେ ଉପଲବ୍ଧି କରିଛନ୍ତି ଯେ ଜାତୀୟ ସୀମାରେଖା ବୋଲି ଆଉ କିଛି ନାହିଁ। ତେଣୁ ତୁରନ୍ତ ପଦକ୍ଷେପ ହିଁ ମହାମାରୀ ପରି ସଂକଟର ମୁକାବିଲା କରିପାରିବ। ଚୀନର ବହୁ ସ୍କୁଲରେ ନିମୋନିଆ ପରି ଏକ ସଂକ୍ରମଣ ବ୍ଯାପିବାରେ ଲାଗିଛି। ସନ୍ଦିଗ୍ଧ ନିମୋନିଆ ପୀଡିତ ପିଲାଙ୍କୁ ବହୁ ସଂଖ୍ଯାରେ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବାବେଳେ ଦେଶରେ ଏକ ନୂଆ ସଂକଟ ସୃଷ୍ଟି ହୋଇଛି। ଶହ ଶହ ଛାତ୍ରଛାତ୍ରୀ ଏହି ରୋଗରେ ସଂକ୍ରମିତ ହେବା ଦେଖାଯାଉଛି। ପିଲାମାନଙ୍କ ନିକଟରେ ଫୁସଫୁସ ସଂକ୍ରମଣ, ଅଧିକ ତାତି ରହୁଥିବା ଜ୍ବର ରହୁଛି। ତେବେ ନିମୋନିଆର ଅନ୍ୟତମ ଲକ୍ଷଣ କଫ ଓ ଶ୍ବାସଜନିତ ଯନ୍ତ୍ରଣା ପରିଲକ୍ଷିତ ହେଉନାହିଁ। ଏହି ରୋଗ ସମ୍ପର୍କରେ ଚୀନକୁ ସବିଶେଷ ବିବରଣୀ ମାଗିଥିଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ।