ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ : ୩ ଜଣଙ୍କୁ ଗିରଫ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଛାନବିନ। ଲୋକେସନ ଟ୍ରାକ କରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରୁ ୩ ଜଣଙ୍କୁ ଗିରଫ କଲା ପୋଲିସ। ଗିରଫ ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ୨ ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଡ୍ରୋନ କ୍ୟାମେରା ଜରିଆରେ ଅନ୍ୟ ୨ ଜଣଙ୍କୁ ଖୋଜୁଛି ପୋଲିସ। ଦୁର୍ଗାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହାସହ ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଛାନବିନ କରିଛି। ସ୍ଥାନୀୟ ଅଞ୍ଚଳରେ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି। ଘଟଣାକୁ ନେଇ ଦୁର୍ଗାପୁର ଶିଳ୍ପାଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
କଲେଜ ପରିସରରେ ବିଶାଳ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଘଟଣାରେ ହସ୍ତକ୍ଷେପ ପାଇଁ ପଶ୍ଚିମବଙ୍ଗ ଡାକ୍ତର ସଂଘ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛନ୍ତି। ସେହିପରି ମମତା ବାନାର୍ଜୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି। ଘଟଣା ସ୍ଥଳ ବୁଲି ଦେଖିଛନ୍ତି ମହିଳା କମିଶନ। ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ସମେତ ବିଜେପି ଓ ବାମପନ୍ଥୀମାନେ ଆନ୍ଦୋଳନ କରିଛନ୍ତି।
ସୂଚନା ଅନୁସାରେ, ଶୁକ୍ରାବାର ରାତି ପ୍ରାୟ ୮ଟା ବେଳେ କ୍ୟାମ୍ପସ ସାମ୍ନାରୁ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଟାଣି ନେଇ ଗଣଦୁଷ୍କର୍ମ କରା ଯାଇଥିଲା। ପୀଡ଼ିତା ଜଣକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ। ପରିବାର ଲୋକେ ପ୍ରଶାସନ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଉଦାସୀନତା ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ବାପାଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମବେଦନା ଜଣାଇବା ସହିତ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହାସହ ବାଲେଶ୍ବର ଏସ.ପି ଦୁର୍ଗାପୁର ପୋଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।