ଇରାନର ଚାବାହାର ବନ୍ଦର ଛାଡିବନି ଭାରତ
ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଇରାନର ଚାରବାହ ବନ୍ଦର । ଆମେରିକାର ପ୍ରତିବନ୍ଧକ ପରେ ବି ଭାରତ ଚାରବାହ ବନ୍ଦର ଛାଡିବା ମୁଡରେ ନାହିଁ । ଜଣେ ଅଧିକାରୀ କାହିଛନ୍ତି,ଏ ବିଷୟରେ ଆଲୋଚନା ବି କରାଯାଉନି । ତେବେ ସେ କହିଛନ୍ତି ଏମିତି ରାସ୍ତା କାଢ଼ିବାକୁ ଚେଷ୍ଟା କରାଯାଉଛି ଯାହାଦ୍ବାରା ଆମେରିକାକୁ ନେଇ ଥିବା ଚିନ୍ତା ଦୂର ହୋଇପାରିବ ଓ ଭାରତ ଦୀର୍ଘକାଳୀନ ହିତ ସୁରକ୍ଷିତ ରହିପାରିବ ।
ଚାବାହାର ଛାଡିବା ଦାବି ମିଛ
ଚାବାହାର ବନ୍ଦରକୁ ନେଇ ବିବାଦ କଂଗ୍ରେସ ଆରୋପରୁ ଆରମ୍ଭ ହୋଇଥିଲା । କଂଗ୍ରେସ ଅଭିଯୋଗ କରିଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାବାହାର ବନ୍ଦରରୁ କଣ୍ଟ୍ରୋଲ ଛାଡି ଦେଇଛନ୍ତି । ଏପରିକି ଟ୍ରମ୍ପଙ୍କ ଆଗରେ ମୋଦି ସରକାର ସରେଣ୍ଡର କରି ଦେଇଛନ୍ତି । ଫଳରେ ଭାରତର ୧୧୦୦ କୋଟି ଟଙ୍କାର କ୍ଷତି ହେଲା ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ହେଲେ ବୈଦେଶିକ ମନ୍ତ୍ରାଳୟ କଂଗ୍ରେସ ଏପରି ଦାବିକୁ ମିଛ ବୋଲି କହିଛି । ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି, ଚାବାହାରକୁ ନେଇ ଯୋଜନା ଜାରି ରହିଛି । ଏହାକୁ ଆଗକୁ ବଢ଼ାଇବା ପାଇଁ ଭାରତ ଆମେରିକା ସହ ଆଲୋଚନା କରୁଛି ।
ରାସ୍ତା ବାହାର କରିବାକୁ ଚାଲିଛି ଚେଷ୍ଟା
ସୂଚନାଯୋଗ୍ୟ, ଆମେରିକା ଇରାନ ଉପରେ ପ୍ରତିବନ୍ଧକ ଲଗାଇଛି । ଚାବାହାର ବନ୍ଦରରେ ହେବାକୁ ଥିବା ବ୍ୟବସାୟ ମଧ୍ୟ ଏହି ପ୍ରତିବନ୍ଧକରେ ରହିଛି । ୨୦୨୪ରୁ ଭାରତ ୧୦ ବର୍ଷିଆ ବୁଝାମଣା ଜରିଆରେ ଇରାନର ଚାବାହାର ବନ୍ଦରର ବିକାଶ କରୁଛି । ଆମେରିକା ୨୦୧୮ରେ ଭାରତକୁ ଏହି ବନ୍ଦରରେ କାରବାର ପାଇଁ ଅନୁମତି ଦେଇଥିଲା । ହେଲେ ଗତବର୍ଷ ଆମେରିକା ଏହି ଅନୁମତି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପରେ ୨୦୨୬ ଏପ୍ରିଲ ପର୍ଯ୍ୟନ୍ତ ବିନା ପ୍ରତିବନ୍ଧକରେ କାମ କରିବାକୁ ମଞ୍ଜୁରୀ ହେଇଛି । ଯାହା ଏପ୍ରିଲରୁ ପୁଣି ଲାଗୁ ହୋଇଯିବ । ହେଲେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଆମେରିକା ସହ ଆଲୋଚନା ଚାଲିଛି, ଆମେ କିଛି ରାସ୍ତା ବାହାର କରିବାକୁ ଚେଷ୍ଟା କରୁଛୁ ।

