ଆୟତନରେ ସପ୍ତମ, ଜନସଂଖ୍ୟାରେ ପ୍ରଥମ

ନୂଆଦିଲ୍ଲୀ: ଜାତିସଂଘର ବୁଧବାର ପ୍ରକାଶିତ ତଥ୍ୟ ଅନୁସାରେ ଭାରତ ବର୍ତ୍ତମାନ ପୃଥିବୀର ସବୁଠୁ ଅଧିକ ଜନସଂଖ୍ୟାବାଇଷ୍ଟ ଦେଶ  । କିନ୍ତୁ ଲୋକଙ୍କ ପାଖରେ ବର୍ତ୍ତମାନ କେତେ ଜମି ଅଛି  ଏବଂ ଆସନ୍ତା ୧୦ ବର୍ଷରେ ଭାରତର ପ୍ରତ୍ୟେକ ନାଗରିକଙ୍କ ପାଖରେ ହାରାହାରି କେତେ ଜମି ରହିବ ତାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି । ଭାରତର ଜନସଂଖୟା ବଢ଼ିଥିଲେ ମଧ୍ୟ ଜମି ପରିମାଣ ଅପରିବର୍ତ୍ତିତ ରହିଛି । ତେଣୁ ମୁଣ୍ଡପିଛା ଜମି ପରିମାଣ ହ୍ରାସ ପାଇଛି । ଜାତିସଂଘ ଜନସଂଖ୍ୟା ପାଣ୍ଠିର ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ବର୍ତ୍ତମାନ ଚୀନକୁ ଟପି ୧୪୨.୫୭ କୋଟିରେ ପହଞ୍ଚିଛି । ଜନସଂଖ୍ୟା ଦୃଷ୍ଟିରୁ  ପ୍ରଥମ ପାଞ୍ଚଟି ଦେଶ ହେଉଛନ୍ତି ଭାରତ, ଚୀନ୍‌, ଆମେରିକା, ଇଣ୍ଡୋନେସିଆ ଓ ପାକିସ୍ତାନ୍‌ । କିନ୍ତୁ ଭୂମିର ଆକାର ଦୃଷ୍ଟିରୁ ଚୀନ୍‌ ହେଉଛି ତୃତୀୟ ଏବଂ ଭାରତ ହେଉଛି ସପ୍ତମ ବୃହତ୍ତମ ଦେଶ । ଆୟତନରେ ଋଷ୍‌ ବିଶ୍ୱର ସବୁଠାରୁ ବଡ଼ ରାଷ୍ଟ୍ର ହୋଇଥିବାବେଳେ କାନାଡ଼ା ଦ୍ୱିତୀୟ, ଆମେରିକା ଚତୁର୍ଥ, ବ୍ରାଜିଲ ପଞ୍ଚମ ଏବଂ ଅଷ୍ଟ୍ରେଲିଆ ଷଷ୍ଠ ସ୍ଥାନରେ ରହିଛି ।

ଭାରତର କ୍ଷେତ୍ରଫଳ ହେଉଛି ୨୯.୭ ଲକ୍ଷ ବର୍ଗ କିଲୋମିଟର । ବର୍ତ୍ତମାନ ଭାରତର ଜନସଂଖ୍ୟା ସାନ୍ଦ୍ରତା ହେଉଛି ବର୍ଗ କିଲୋମିଟର ପିଛା ୪୮୦.୫ ଲୋକ । ଏହା ଚୀନର ଜନସଂଖ୍ୟା ସାନ୍ଦ୍ରତା ୧୫୧.୩ ଠାରୁ ୩ ଗୁଣ ଅଧିକ ।  ପଞ୍ଚମ ଜନସଂଖ୍ୟା ବହୁଳ ଦେଶ ପାକିସ୍ତାନର ଜନସଂଖ୍ୟା ସାନ୍ଦ୍ରତା ହେଉଛି ୩୧୨ ପ୍ରତି ବର୍ଗକିମି ।  ବର୍ତ୍ତମାନ ଯଦି ଭାରତର ପ୍ରତ୍ୟେକ ଲୋକଙ୍କୁ ସମାନ ପରିମାଣର ଜମି ଦିଆଯାଏ ତେବେ ଜଣଙ୍କ ଭାଗରେ ପଡ଼ିବ ୦.୦୦୨୧ ବର୍ଗକିମି ବା ୨.୦୮୧ ବର୍ଗମିଟର । ଏହା ହେଉଛଇ ଭାରତୀୟଙ୍କ ମୁଣ୍ଡପିଛା ଜମି ପରିମାଣ ।  ଭାରତରେ ଜନସଂଖ୍ୟା ବଢ଼ି ଚାଲିଥିବାରୁ ଏହି ମୁଣ୍ଡପିଛା ଜମିର ପରିମାଣ ହ୍ରାସ ପାଇଚାଲିବ ।

ଜନସଂଖ୍ୟା ବଢ଼ିଲେ କୃଷି ଜମି ଅଣକୃଷି କାର୍ଯ୍ୟରେ ବ୍ବୟହୃତ ହେବ  ଏବଂ କୃଷିକ୍ଷେତ୍ରର ପରିମାଣ ହ୍ରାସ ପାଇବ । ଆସନ୍ତା ୧୦ ବର୍ଷରେ ଭାରତର ଜନସଂଖ୍ୟା ୧୫୪.୮ କୋଟିକୁ ବୃଦ୍ଧି ପାଇବ ବୋଲି ଜାତିସଂଘ ଆକଳନ କରିଛି ।  ଏହାଫଳରେ ଭାରତର ଜନସଂଖ୍ୟା ସାନ୍ଦ୍ରତା ୫୨୦.୫  ପ୍ରତି ବର୍ଗକିମିକୁ ବୃଦ୍ଧି ପାଇବ ।  ସେହି ହିସାବରେ ୨୦୩୩ରେ ମୁଣ୍ଡପିଛା ଜମି ପରିମାଣ ୦.୦୦୧୯୨ ବର୍ଗକିମିକୁ ହ୍ରାସ ପାଇବ ।