ବିଜୟଠାରୁ ୭ ଓ୍ବିକେଟ୍ ଦୂରରେ ଭାରତ, ଭାଙ୍ଗିବ ଏହି ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡରେ କମାଲ କରୁଛି ଭାରତ । ଗିଲ ବାହିନୀ ଦ୍ବିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଇଂଲଣ୍ଡକୁ ଜିତିବା ପାଇଁ ଶେଷ ଦିନରେ ୫୩୬ ରନ ଆବଶ୍ୟକ ହେଉଥିବାବେଳେ ଭାରତକୁ ଜିତିବା ପାଇଁ ଆଉ ୭ ଓ୍ବିକେଟ ଆବଶ୍ୟକ ରହିଛି । ବର୍ମିଂହାମ୍ର ଏଜବାଷ୍ଟନ୍ରେ ଶନିବାର ସକାଳେ ଭାରତ ଦ୍ବିତୀୟ ପାଳିକୁ ପୁନଃ ଆରମ୍ଭ କରିବା ପରେ ପ୍ରଥମ ଘଣ୍ଟାକ ଖେଳରେ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଥିଲା। ମେଘୁଆ ପାଗରୁ ଫାଇଦା ଉଠାଇ ଇଂଲିସ୍ ବୋଲର ବି ଚାପ ଜାରି ରଖିଥିଲେ। କେଏଲ୍ ରାହୁଲ୍ ଅସୀମ ଧୈର୍ଯ୍ୟ ଦେଖାଇ ଅର୍ଦ୍ଧଶତକ ହାସଲ କରିଥିଲେ। କରୁଣ ନାୟାର କିନ୍ତୁ ଏକାଧିକ ବାଉଁସରକୁ ମୁଣ୍ଡ ଓ ଦେହରେ ସହିବା ପରେ ବି ୨୬ ରନ୍ରୁ ଆଗକୁ ବଢ଼ିପାରିନଥିଲେ।
ଏହି ସମୟରେ କିନ୍ତୁ ଅଧିନାୟକ ଶୁବମନ ଗିଲ୍ (୧୬୧ ରନ୍, ୧୬୧ ବଲ୍, ୧୩ ଚୌକା, ୮ ଛକା) ଏବଂ ଉପଅଧିନାୟକ ଋଷଭ ପନ୍ତ୍ (୬୫ ରନ୍, ୫୮ ବଲ୍, ୮ ଚୌକା, ୩ ଛକ) ୧୧୦ ରନ୍ର ଦ୍ରୁତ ଭାଗୀଦାରି କରି ଇଂଲଣ୍ଡ ବୋଲରଙ୍କୁ ସୁଯୋଗ ଦେଇନଥିଲେ। ପନ୍ତ୍ଙ୍କୁ ପୁଣି ସୋଏବ ବଶିର ବଶିଭୁତ କରିଦେଇଥିଲେ। କିନ୍ତୁ ପ୍ରଥମ ପାଳି ଭଳି ରବୀନ୍ଦ୍ର ଜାଡ଼େଜା (୬୯* ରନ୍, ୧୧୮ ବଲ୍, ୫ ଚୌକା, ୧ ଛକା)ଙ୍କୁ ସାଥୀ କରି ଗିଲ୍ ପୁଣି ଏକ ଶତକୀୟ ଭାଗୀଦାରି (୧୭୫ ରନ୍) କରିବାରୁ ଇଂଲଣ୍ଡକୁ ଭାରତ ମ୍ୟାଚ୍ରୁ ଆପାତତଃ ସମ୍ପୂର୍ଣ୍ଣ ବିଦାୟ ରାସ୍ତା ଦେଖାଇଦେଇଛି। ଭାରତ ନିଜ ଦ୍ବିତୀୟ ପାଳିକୁ ୪୨୭/୬ରେ ଘୋଷଣା କରିବାରୁ ଘରୋଇ ଦଳ ସମ୍ମୁଖରେ ଅସମ୍ଭବ ବିଜୟ ଲକ୍ଷ୍ୟ ରହିଛି। ବାଜବଲ୍ ଷ୍ଟାଇଲ୍ରେ ଖେଳୁଥିବା ଏହି ଦଳ ଏବେ ଅଗ୍ନିପରୀକ୍ଷାରେ ପଡ଼ିଛି।