୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ୍, ବିରୋଧୀ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକ

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକ । ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ । ନୂଆଦିଲ୍ଲୀରେ ବସୁଥିବା ଏହି ବୈଠକ ବିରୋଧୀ ମେଣ୍ଟ ଲାଗି ଗୁରୁତ୍ବ ବହନ କରୁଛି । ଏହା ସହ ଆସନ ବୁଝାମଣା ନେଇ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ । ଏହା ସହ ଦେଶବ୍ଯାପୀ ପ୍ରଚାର ଅଭିଯାନ ସମ୍ପର୍କରେ ପ୍ରସ୍ତୁତ ହୋଇପାରେ ବ୍ଲୁପ୍ରିଣ୍ଟ । ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଏନସିପି ନେତା ଶରଦ ପାଓ୍ବାରଙ୍କ ବାସଭବନରେ ୧୪ ସଦସ୍ଯବିଶିଷ୍ଟ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ଯାନେଲ ସଦସ୍ଯଙ୍କ ବୈଠକ ବସିଥିଲା ।

ବୈଠକରେ ବିରୋଧୀ ଦଳଗୁଡିକ ବିରୋଧରେ ତଦନ୍ତକାରୀ ସଂସ୍ଥାକୁ ବ୍ଯବହାର କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରସମନ ଅନୁସାରେ ହାଜର ହେବାକୁ ଥିବାରୁ ଆଜିର ବୈଠକରେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବୈଠକରେ ସାମିଲ ହେବେ ନାହିଁ । ଇଣ୍ଡିଆ ମେଣ୍ଟର କିଛି ନେତାଙ୍କ କହିବା ଅନୁସାରେ ମହାରାଷ୍ଟ୍ର, ତାମିଲନାଡୁ, ବିହାର ଲାଗି ରଣନୀତି ଚୂଡାନ୍ତ ହୋଇଛି । ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ ଲାଗି ରଣନୀତି କାଠିକର ହେବ ।

୧୪ ଜଣିଆ ସମନ୍ବୟ ତଥା ନିର୍ବାଚନ ରଣକୌଶଳ ନିର୍ଦ୍ଧାରଣ କମିଟିରେ ରହିଛନ୍ତି କଂଗ୍ରେ୍ସର କେସି ଭେନୁଗୋପାଳ, ଡିଏମକେର ଟି ଆର ବାଲୁ, ଜେଏମଏମର ହେମନ୍ତ ସୋରେନ, ଶିବସେନାର ସଞ୍ଜୟ ରାଓ୍ବତ, ଆରଜେଡିର ତେଜସ୍ବୀ ଯାଦବ, ଆପର ରାଘବ ଚଢା, ସମାଜବାଦୀ ପାର୍ଟିର ଜାଭେଦ ଅଲ୍ଲୀ ଖାନ, ଜିଡିୟୁର ଲାଲନ ସିଂ, ସିପିଆଇର ଡି. ରାଜା, ନ୍ଯାସନାଲ କନଫରେନ୍ସର ଓମାର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି, ଟିଏମସିର ଅଭିଷେକ ବାନାର୍ଜୀ ଓ ସିପିଏମର ଜଣେ ସଦସ୍ଯ ।