ଆଜି ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ

ନୂଆଦିଲ୍ଲୀ: ବଢ଼ିବ ବିରୋଧୀଙ୍କ ବଳ । ମଙ୍ଗଳବାର ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ । ସିଟ୍ ସେୟାରିଂ, ମିଳିତ କାର୍ଯ୍ୟକ୍ରମ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ତେବେ ସଂସଦରେ ନିରାପତ୍ତା ତ୍ରୁଟି, ବେକାରୀ ଆଦି ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମେତ ବହୁ ନେତା ସାମିଲ ହେବା ଆଶା କରାଯାଉଛି । ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସର ବ୍ୟାପକ ପରାଜୟ ପରେ ଏହା ହେଉଛି ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ । ସଂସଦ ଭବନ ପରିସରରେ ଏହି ବୈଠକ ବସିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ମାତ୍ର ପରେ ଏହାକୁ ଏକ ହୋଟେଲକୁ ସ୍ଥାନାନ୍ତରିତ କରାଯାଇଛି ।