ସିଡନୀ ଟେଷ୍ଟରେ ଭାରତର ପଲା ଭାରି: ୨୦୦ ରନ୍ ଟାର୍ଗେଟ ଦେଲେ କଙ୍ଗାରୁ ହାରିବ, ସାମ୍ନାକୁ ଆସିଲା ଏକ୍ସପର୍ଟଙ୍କ ମତାମତ

1 min read

ସିଡନୀ: କ’ଣ ହେବ ସିଡନୀ ଟେଷ୍ଟର ଫଳାଫଳ ।  କିଏ ପିନ୍ଧିବ ବିଜୟ ମୁକୁଟ,  କମିନ୍ସ ବାହିନୀ ନା ବୁମ୍ରା ବାହିନୀ । ଏବେ ବି ୨-୧ରେ ସିରିଜରେ ପଛୁଆ ରହିଛି ଟିମ୍ ଇଣ୍ଡିଆ । ଅନ୍ତିମ ଟେଷ୍ଟରେ ଜିତି ସିରିଜକୁ ଡ୍ର କରିବା ପ୍ରୟାସରେ ଭାରତ । ଅନ୍ୟପଟେ ସିଡନୀ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି କଙ୍ଗାରୁ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୪୫ ରନରେ ଆଗୁଆ ରହିଛି । ୧୪୧ ରନରେ ଭାରତ ୬ଟି ଓ୍ବିକେଟ ହରାଇ ସାରିଛି । ତୃତୀୟ ଦିନ ଅଷ୍ଟ୍ରେଲିଆକୁ ଅଧିକ ଟାର୍ଗେଟ ଦେବାକୁ ପ୍ରୟାସ କରିବ ଭାରତ । ସିଡନୀ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ଚର୍ଚ୍ଚା ଚାଲିଛି । ଭାରତ ଏହି ମ୍ୟାଚରେ ପରାଜିତ ହେବା ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଚାଲିଛି ଆଲୋଚନା ।

ମାତ୍ର ଭାରତ ତା’ର ଗେମ୍ ପ୍ଲାନରେ ଅଟଳ ରହିଛି । ଭାରତ ଆଉ ୫୦ ରନ ସଂଗ୍ରହ କଲେ, ଆଣ୍ଠେଇ ପଡ଼ିବ କଙ୍ଗାରୁ । ଏଭଳି କିଛି ଅନୁମାନ କରିଛନ୍ତି ଏକ୍ସପର୍ଟ ।  ଏବେ ବି ଭାରତର ପଲା ଭାରି ରହିଛି । ବିଜୟ ହାର ୫୫-୪୫ ରହିଛି । ଏଭଳି ମତ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ।  ୨୦୦ ଟନର ଟାର୍ଗେଟ ଅଷ୍ଟ୍ରେଲିଆ ପାଇଁ ସହଜ ହେବନି । ଏପରି କହିଛନ୍ତି ଦୀପଦାସ ଗୁପ୍ତା ।  ଏହି ଟାର୍ଗେଟ ଦେଇ ପାରିଲେ ଭାରତ ଜିତିଯିବ । କାରଣ ସିଡନୀ ପିଚ୍ ବୋଲରଙ୍କୁ ସୁହାଇବ ବୋଲି ସେ କହିଛନ୍ତି । ମାତ୍ର ଦ୍ବିତୀୟ ଇନିଂସରେ ବୁମ୍ରା ଯଦି ବୋଲିଂ ନକରନ୍ତି ତେବ ଫଳାଫଳ ଭିନ୍ନ ହୋଇପାରେ । କାରଣ ପ୍ରଥମ ଇନିଂସରେ ବୁମ୍ରା ମାତ୍ର ୧୦ ଓଭର ବୋଲିଂ କରିଥିଲେ ଓ ୨ଟି ଓ୍ବିକେଟ ନେଇଥିଲେ । ଲଞ୍ଚ ପରେ ବୁମ୍ରା କେବଳ ଗୋଟିଏ ଓଭର ବୋଲିଂ କରିଥିଲେ । କଙ୍ଗାରୁକୁ ଚକମା ଦେବା ପାଇଁ ବୁମ୍ରା କି ରଣନୀତି ପ୍ରସ୍ତୁତ କରୁଛନ୍ତି, ତା’ ଉପରେ ଏବେ ସଭିଙ୍କ ନଜର ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୩ୟ ଦିନରେ ଭାରତକୁ ଶୀଘ୍ର ଅଲଆଉଟ କରିବାକୁ ପ୍ରୟାସ କରିବ । ଭାରତ ଯଦି ୨୫୦ ରନର ଟାର୍ଗେଟ ଦିଏ, ତେବେ ଅଷ୍ଟ୍ରେଲିଆ ତାହାକୁ ଚେଜ କରିଦେବ ବୋଲି କୁହାଯାଉଛି । କାରଣ ସିଡନୀ ଗ୍ରାଉଣ୍ଡରେ ସର୍ବାଧିକ ରନ ଚେଜ ଅଷ୍ଟ୍ରେଲିଆ ନାମରେ ରହିଛି, ଯେ କି ୨୮୭ ରନ୍ ଚେଜ୍ କରିଥିଲା । ସିଡନୀ ଗ୍ରାଉଣ୍ଡରେ ଭାରତ ଶେଷ ଥର ପାଇଁ ୧୯୭୮ରେ ବିଜୟ ହାସଲ କରିଥିଲା । ଏହି ଗ୍ରାଉଣ୍ଡରେ ଭାରତ ମୋଟ ୧୩ଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ ଭାରତ କେବଳ ଗୋଟିଏ ମ୍ୟାଚ ଜିତିଛି ଓ ୫ଟି ହାରିଛି । ସିଡନୀରେ ଭାରତ ୭ଟି ମ୍ୟାଚ ଡ୍ର କରିଛି । ତେଣୁ ଭାରତର ପୂର୍ବ ରେକର୍ଡ ମୁତାବକ, ସିଡନୀ ଟେଷ୍ଟ ଡ୍ର ରହିବାର ସମ୍ଭାବନା ଅଧିକ । ଭାରତ ଏବେ ସିରିଜରେ ପଛୁଆ ରହିଛି । ତେଣୁ ଅନ୍ତିମ ଟେଷ୍ଟକୁ ଅତିକମରେ ଡ୍ର କରାଇ ପାରିଲେ ଭ୍ରମଣକାରୀ ଦଳର ସମ୍ମାନ ରହିପାରନ୍ତା । ତେଣୁ ଜାନୁଆରୀ ୫ରେ ସିଡନୀରେ  ଭାରତ କଣ କମାଲ କରୁଛି, ତା’ ଉପରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ରହିଛି ନଜର ।