ଦେଶରେ ୨୪ ଘଣ୍ଟାରେ ୨ ହଜାର ୫୨୭ ପଜିଟିଭ ଚିହ୍ନଟ, ଓଡ଼ିଶାରେ ସର୍ବନିମ୍ନ ଜଣେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢ଼ିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୨ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଗତ ୨୪ ଘଣ୍ଟାରେ ଦେଶରେ ୩୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ କରୋନା ସଂକ୍ରମଣ ୨ ହଜାରରୁ ଅଧିକ ରହିଥିବାରୁ ଆଶଙ୍କା ପ୍ରକାଶ ପାଇଛି । ଏହି ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୦୭୯ ରହିଛି । ସେହିପରି ପଜିଟିଭିଟି ରେଟ କଥା ଯଦି କହିବା ତାହାଲେ ବର୍ତ୍ତମାନ ଦେଶରେ ପଜିଟିଭିଟି ରେଟ ୦.୫୬ ରହିଛି । ତେବେ ଗତ ୨୪ ଘଣ୍ଟାରେ ୧ ହଜାର ୬୫୬ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ କିନ୍ତୁ ଆଶ୍ବସ୍ତିକର ସ୍ଥିତି ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ ରାଜ୍ୟରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରର ଜଣେ କରୋନା ସଂକ୍ରମିତ ହୋଇଥିବା ବେଳେ ସେ କ୍ବାରେଣ୍ଟାଇନରେ ଥିଲେ । ଶୂନରୁ ୧୮ ବର୍ଷ ବୟସର କେହି ବି ସଂକ୍ରମିତ ହୋଇନାହାନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଆକ୍ଟିଭ କେସ୍ ଶହେ ତଳେ ରହିଛି । ରାଜ୍ୟରେ ଆକ୍ଟିଭ କେସ୍ ୮୫ ଥିବା ବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୭ ଆକ୍ରନ୍ତ ।