ଭୂକମ୍ପ କ୍ଷତିଗ୍ରସ୍ତ ମିଆଁମାରର ସହାୟତା ପାଇଁ ଭାରତର ‘ଅପରେସନ ବ୍ରହ୍ମା’ ଆରମ୍ଭ

1 min read

ନନ୍ଦିଘୋଷ ବ୍ୟୁରୋ: ଭୂକମ୍ପରେ ଧ୍ବସ୍ତ ବିଧ୍ବଂସ ମିଆଁମାରର ସହାୟତା ପାଇଁ ଆଗକୁ ଆସିଲା ଭାରତ । ମିଆଁମାରକୁ ସହାୟତା ପଠାଇବା ସହ ଆରମ୍ଭ ହୋଇଛି ‘ଅପରେସନ ବ୍ରହ୍ମା’ । ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରିଲିଫ୍ ଅଭିଯାନ ହେଉଛି ବ୍ରହ୍ମା । ଗତକାଲିଠାରୁ ଆରମ୍ଭ ହୋଇଛି ଏହି ଅପରେସନ ।

ଭାରତୀୟ ସେନା ପକ୍ଷରୁ ମିଆଁମାରକୁ ରିଲିଫ୍ ସାମଗ୍ରୀ ଓ ସାହାଯ୍ୟ ପଠାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ମିଆଁମାରରେ ଭୂକମ୍ପ ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସାହାଯ୍ୟ ପ୍ରଦାନ କରିବା । ଏଥିରେ ଖାଦ୍ୟ, ଔଷଧ, ପୋଷାକ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଯାଇଛି ।

ଗତକାଲି ଭାରତୀୟ ବାୟୁସେନାର ପ୍ରଥମ ବିମାନ ହିଣ୍ଡନ ବାୟୁସେନା ଘାଟିରୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ନେଇ ମିଆଁମାରର ରାଜଧାନୀ ୟାଙ୍ଗୁନରେ ପହଞ୍ଚିଥିଲା । ଏଥିରେ ଭାରତୀୟ ବାୟୁସେନା, ନୌସେନା ଓ NDRF ଟିମ ସାମିଲ ଅଛନ୍ତି । NDRFର ୮୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ମୁତୟନ ହେବେ । ଅନ୍ୟାନ୍ୟ ଉପକରଣ ସହ ସନ୍ଧାନୀ କୁକୁରଙ୍କୁ ମିଆଁମାର ପଠାଯାଇଛି । ଭାରତୀୟ ନୌସେନାର ଦୁଇଟି ଜାହାଜ INS ସାବିତ୍ରୀ ଓ INS ସାତପୁରା ପ୍ରାୟ ୫୦ ଟନ୍ ରିଲିଫ୍ ସାମଗ୍ରୀ ନେଇ ଆସନ୍ତାକାଲି ସୁଦ୍ଧା ୟାଙ୍ଗୁନରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଏହି ସାମଗ୍ରୀ ମଧ୍ୟରେ ପୋଷାକ, ଜରୁରୀ ଔଷଧ, ଖାଦ୍ୟ ଓ ସାନିଟାଇଜର ରହିଛି ।

ମିଆଁମାରରେ ପ୍ରାୟ ୫୦ରୁ ୬୦ ହଜାର ଭାରତୀୟ ନାଗରିକ ରହୁଛନ୍ତି । ଏ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ଘଟିଥିବା ସୂଚନା ମିଳିନି । ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ।