ହଠାତ୍ ଝେଲମ୍ ପାଣି ଛାଡିଲା ଭାରତ । ପିଓକେରେ ବନ୍ୟା, ଘର ଛାଡିଲେ ଲୋକେ

ନନ୍ଦିଘୋଷ ବ୍ୟୁରୋ : ଝେଲମ୍ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ, ପାକ୍ ଅଧିକୃତ କାଶ୍ମୀରର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସ୍ଥାନୀୟ ଅଧିକାରୀମାନଙ୍କ ଅନୁସାରେ, ପୂର୍ବ ସୂଚନା ବିନା ଶନିବାର ଉରି ଡ୍ୟାମରୁ ପାଣି ଛଡ଼ାଯାଇଥିଲା। ପାଣି ଛଡା ଯିବା ପରେ ପିଓକେର ହଟ୍ଟିୟନ ବାଲା ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ନଇ କୂଳରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇଥିଲେ । ଏକ ରିପୋର୍ଟ ଅନୁସାରେ ପିଓକେର ନଇ କୂଳିଆ ଗ୍ରାମ ଡୁମେଲର ବାସିନ୍ଦା ମହମ୍ମଦ ଆସିଫ୍ କହିଛନ୍ତି, ଆମକୁ ସତର୍କ କରାଯାଇନଥିଲା । ପାଣି ଆସିବା ପରେ ଆମେ ନିଜର ଧନ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛୁ ।

ପିଓକେର ରାଜଧାନୀ ମୁଜାଫରାବାଦ ଏବଂ ଚାକୋଠିର ସ୍ଥାନୀୟ କର୍ତ୍ତୃପକ୍ଷ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରିଥିଲେ। ଏଥିରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ଲୋକଙ୍କୁ ସ୍ଥାନନ୍ତର ହେବା ନେଇ ଅନୁରୋଧ କରାଯାଇଥିଲା। ମୁଜାଫରାବାଦର ଜଣେ ଜିଲ୍ଲା ସରକାରୀ ଅଧିକାରୀ ଏକ ବିବୃତ୍ତି ଜାରି କରି କହିଛନ୍ତି, ଭାରତ ଝେଲମ୍ ନଦୀରେ ଆବଶ୍ୟକ ଠାରୁ ଅଧିକ ପାଣି ଛାଡିଥିଲା । ଯାହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୋହଲା ଓ ଧଳକୋଟର ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ଆସିଛି। କିଛି ସ୍ଥାନରେ ଫସଲ କ୍ଷତି ହୋଇଥିବାର ମଧ୍ୟ ରିପୋର୍ଟ ଆସିଛି। ଅଧିକାରୀମାନେ କହିଛନ୍ତି, ପିଓକେ ବାସିନ୍ଦାଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି।

ଭାରତ ସରକାର କିମ୍ବା ଭାରତୀୟ ଅଧିକାରୀମାନେ ଏ ବିଷୟରେ ଆନୁଷ୍ଠାନିକ ଭାବରେ କିଛି କହିନାହାଁନ୍ତି। ତଥାପି, କିଛି ଗଣମାଧ୍ୟମ ଦାବି କରୁଛନ୍ତି ଯେ ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ପାଣି ଛାଡିବା ଜରୁରୀ  ଥିଲା। ଏହି ଘଟଣା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ରହିଛି। ପାକିସ୍ତାନୀ ଅଧିକାରୀମାନେ ଏହାକୁ ନିନ୍ଦା କରିଛନ୍ତି, ଏହାକୁ ଅନ୍ତର୍ଜାତୀୟ ମାନଦଣ୍ଡ ଏବଂ ସିନ୍ଧୁ ଜଳ ଚୁକ୍ତିନାମାର ଉଲ୍ଲଂଘନ ବୋଲି କହିଛନ୍ତି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଭାରତୀୟ ଅଧିକାରୀମାନେ ଦାବି କରିଛନ୍ତି, ଏହି ଆକ୍ରମଣର ପାକିସ୍ତାନ ସହିତ ଲିଙ୍କ୍ ଅଛି। ଏହି ଘଟଣା ପରେ ଭାରତ ଅନେକ ପଦକ୍ଷେପ ନେଇଥିଲା। ସେଥିମଧ୍ୟରୁ ଗୋଟିଏ ଥିଲା ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ।